ବେଦାନ୍ତ ଫେକର କମ୍ପାନୀରେ ଠିକାଦାରଙ୍କ ଗୁଣ୍ଡାଗର୍ଦ୍ଦି ! ପ୍ରତିବାଦରେ ରାସ୍ତାରୋକ
ଭଦ୍ରକ: ବେଦାନ୍ତ ଫେକର କମ୍ପାନୀ ପରିସରରେ ଶାସକ ଦଳର ଠିକାଦାରଙ୍କ ଗୁଣ୍ଡାଗର୍ଦ୍ଦି ଓ ଅସ୍ଥାୟୀ କର୍ମଚାରୀଙ୍କୁ ମାଡ଼ ଅଭିଯୋଗରେ ରାସ୍ତାରୋକ । ଭଦ୍ରକ- ଆନନ୍ଦପୁର ମୁଖ୍ୟରାସ୍ତାର ରାନ୍ଦିଆ ଠାରେ ରାସ୍ତାରୋକ ହୋଇଛି । କମ୍ପାନୀର ଅସ୍ଥାୟୀ କର୍ମଚାରୀମାନେ ରାସ୍ତାରୋକ କରିଛନ୍ତି । ଅଭିଯୋଗ ଅନୁଯାୟୀ, କମ୍ପାନୀର ବହୁ ପ୍ରୋଜେକ୍ଟର କାର୍ଯ୍ୟ ଚାଲିଛି । ଏଥିରେ ନିୟୋଜିତ କେତେକ ଠିକାଦାର ସ୍ଥାନୀୟ ଯୁବକଙ୍କୁ ଅଗ୍ରାଧିକାର ନ ଦେବା ସହ ଲେବର ଆସୋସିଏସନ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି । ଏମିତି କି କମ୍ପାନୀର କେତେକ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ କର୍ମଚାରୀମାନେ ଟାୟାର ଜାଳି ରାସ୍ତାରୋକ କରିବା ସହ ରାସ୍ତା ଉପରେ ବସିରହିଛନ୍ତି । ଯାହା ଫଳରେ ଯାତାୟାତ ଠପ ହୋଇଯିବା ସହ ଉଭୟ ପଟୁ ଶହ ଶହ ଗାଡି-ମୋଟର ଅଟକି ରହିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପ୍ରଚେଷ୍ଟା ଜାରିରଖିଛି । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:21 PM IST