45ବର୍ଷର ରେକର୍ଡ ଭାଙ୍ଗିଲା ଯମୁନା ଜଳସ୍ତର, କେନ୍ଦ୍ରକୁ ଚିଠି ଲେଖିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଉତ୍ତର ଭାରତର ସ୍ଥିତି ସଙ୍ଗୀନ ହୋଇପଡିଥିବାବେଳେ ବେହାଲ ରାଜଧାନୀ ଦିଲ୍ଲୀ। ଗତ 45 ବର୍ଷର ରେକର୍ଡ ଭାଙ୍ଗିଛି ଯମୁନା ନଦୀର ଜଳସ୍ତର । ଆଜି ଦିନ 1ଟାଏ ସୁଦ୍ଧା 207.55 ମିଟର ପର୍ଯ୍ୟନ୍ତ ଜଳସ୍ତର ବିପଦ ସଙ୍କେତ ପାର୍ କରିଛି । ଏହା ପୂର୍ବରୁ 1978ରେ ଯମୁନାର ଜଲସ୍ତର 207.49 ଛୁଇଁଥିଲା। ଯମୁନା ନଦୀ ଉଚ୍ଛୁଳୁଥିବାବେଳେ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ସରକାର।
ଏନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ବସିଥିବାବେଳେ ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ତଳିଆ ଅଞ୍ଚଳର ସ୍ଥିତି ସମୀକ୍ଷା ସହ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ। ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର। 9ବର୍ଷର ଶାସନକାଳ ମଧ୍ୟରେ ଆପ୍ ସରକାରଙ୍କ ବନ୍ୟା ମୁକାବିଲା ଢାଞ୍ଚାକୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ।
ଏହା ମଧ୍ୟ ପଢନ୍ତୁ...Delhi flood: ଦିଲ୍ଲୀକୁ ଡରାଉଛି ଯମୁନା, ଶାହଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ
ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତ 2ଦିନ ମଧ୍ୟରେ ଦିଲ୍ଲୀରେ ଆଖି ଦୃଶିଆ ବର୍ଷା ନଥିଲେ ବି ଯମୁନା ଜଳସ୍ତର ବଢୁଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ହରିୟାଣାର ହଥିନିକୁଣ୍ଡ ବ୍ୟାରେଜରୁ ପାଣି ଛଡାଯାଉଥିବାରୁ ଦିଲ୍ଲୀରେ ଉତ୍କଟ ସ୍ଥିତି ଉପଜୁଥିବା ଦର୍ଶାଇଛନ୍ତି କେଜ୍ରିୱାଲ। ତେଣୁ ହଥିନିକୁଣ୍ଡରୁ ସୀମିତ ପରିମାଣର ପାଣି ଛାଡିବାକୁ ସେ କେନ୍ଦ୍ର ନିକଟରେ ଅପିଲ କରିଛନ୍ତି। ଏଥର ଦିଲ୍ଲୀରେ ହେବାକୁ ଯାଉଛି G-20 ସମ୍ମିଳନୀ।ରାଜଧାନୀ ଦିଲ୍ଲୀ ଏଭଳି ଉଦବେଗଜନକ ବନ୍ୟା ସ୍ଥିତିରେ ରହିଲେ ଅନ୍ୟ ଦେଶମାନଙ୍କୁ ଉତ୍ତମ ସନ୍ଦେଶ ଯିବନି ବୋଲି ଚିଠିରେ ଉଲ୍ଲେଖ କରିବା ସହ କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।