ଓଡିଶା

odisha

ପହିଲି ରଜ ପାଳନ

ETV Bharat / videos

ପହିଲି ରଜ: ଗାଁଠୁ ସହର ଦୋଳି ଗୀତର ଗୁଞ୍ଜରଣ, ଜମୁଛି ପିଠାପଣାର ଆସର

By

Published : Jun 14, 2023, 9:08 PM IST

ଭୁବନେଶ୍ବର: ଆଜି ପହିଲି ରଜ । ଗାଁଠୁ ସହର ଜମୁଛି ରଜ ଆସର । ପାଦରେ ଅଳତା, ମୁଣ୍ଡରେ ଟିପି କୁଙ୍କୁମ ନାଇ ସଜେଇ ହୋଇଛନ୍ତି କୁଆଁରୀ । ରଜଗୀତରେ ଉଛୁଳି ପଡୁଛି ଗାଁ ଦାଣ୍ଡ । ସବୁଆଡ଼େ ରଜପାନ ଓ ପୋଡ଼ ପିଠାର ନିଆଁରା ବାସ୍ନା । ଗଳିକନ୍ଦିରେ ଦୋଳିର ପସରା ।  କିଏ ଦୋଳିର ମଜା ନେଉଛି ତ ଆଉ କିଏ ସେଲ୍ପଫି ନେବାରେ ବ୍ୟସ୍ତ ରହିଛି । ଆଜି ରାଜ୍ୟର କୋଣ ଅନୁକୋଣରେ ବେଶ ଧୁମଧାମରେ ଏହି ଗଣପର୍ବକୁ ପାଳନ କରାଯାଉଛି । ଗତକାଲି ସଜବାସ ଥିବା ବେଳେ ଆଜି ପହିଲି ରଜ ପାଳନ ହେଉଛି । ଏଥିପାଇଁ ଗାଁ ମୁହାଁ ହୋଇଛନ୍ତି ସହରିଆ । ଘରେଘରେ କୁଣିଆ, ଆଉ ଚୁଲିରେ ତିଆରି ଚାଲିଛି ପିଠା । ସଭିଏଁ ଏକାଠି ହୋଇ ପରସ୍ପରକୁ ପୋଡ଼ ପିଠା ଓ ପାନ ଖୁଆଇ ରଜର ଶୁଭେଚ୍ଛା ଜଣାଉଛନ୍ତି । ଗାଁ ବରଗଛ, ଆମ୍ବତୋଟାରେ ଝୁଲୁଛି ଏକାଧିକ ରଜ ଦୋଳି । ଖିଲିପାନ ଟିକେ ମାରି ତରୁଣୀମାନେ ନାଚଗୀତରେ ମସଗୁଲ ହୋଇପଡ଼ିଛନ୍ତି । ସେପଟେ ଗାଁ ମଝିରେ ତାସ ମାଡ଼ ସାଙ୍ଗକୁ ଜମୁଛି ଲୁଡୁ ଓ କବାଡ଼ି । ରଜ ପର୍ବର ମଜା ଯେ, କେବଳ ଯୁବତୀ ଓ ମହିଳା ଉଠାନ୍ତି ତାହା ନୁହେଁ । ଯୁବକମାନେ ବି ଏହାର ଭରପୁର ମଜା ନିଅନ୍ତି । ଅନ୍ୟପଟେ ରଜ ପର୍ବ ପାଳନରେ ବାଦ ପଡ଼ିନି ରାଜଧାନୀ । ଆଜି ସହର ବି ଗାଁଗାଁ ମହକୁଛି । ସହରରେ ପୂର୍ବଭଳି ଆଉ ଗଛରେ ଦୋଳି ବାନ୍ଧିବା ସମ୍ଭବ ହେଉନି । ଏଣୁ ଦେଖିବାକୁ ମିଳିଛି ପ୍ଲାଷ୍ଟିକ ଦୋଳିର ଡିମାଣ୍ଡ । ଧରିତ୍ରୀ ଓ ମୌସୁମୀର ମିଳନ ପର୍ବର ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ । ଚାରିଆଡ଼େ ବେଶ୍‌ ଯାକଜକମରେ ଚାଲିଛି ପରମ୍ପରା ଓ ସଂସ୍କୃତିର ପର୍ବ ।

ABOUT THE AUTHOR

...view details