ମହିଳା ସଫେଇ କର୍ମଚାରୀଙ୍କୁ ମାଡ ମାରିଲେ ଟଲି ଚାଳକ, ଘଟଣାସ୍ଥଳରେ ଉତ୍ତେଜନା - ଫେଇ କର୍ମଚାରୀଙ୍କୁ ଆକ୍ରମଣ କଲେ ଟଲି ଚାଳ
ଭଦ୍ରକ:ସାମାନ୍ୟ କଥାକୁ କେନ୍ଦ୍ର କରି କଥା କଟାକଟି । ପରେ ମହିଳା ସଫେଇ କର୍ମଚାରୀଙ୍କୁ ଆକ୍ରମଣ କଲେ ଟଲି ଚାଳକ । ଶେଷରେ ନ୍ୟାୟ ଦାବିରେ ରାସ୍ତା ରୋକ କଲେ ମହିଳା ସଫେଇ କର୍ମଚାରୀ । ଏଭଳି ଘଟଣା ଘଟିଛି ଭଦ୍ରକ ପୌରପାଳିକାର ଅପର୍ତିବିନ୍ଧା ଛକ ନିକଟରେ । ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ଭଦ୍ରକ ପୌରପାଳିକାରେ ମହିଳା ସଫେଇ କର୍ମଚାରୀ ମାନେ ରାସ୍ତା ସଫା କରୁଥିଲେ । ଏହି ସମୟରେ ଅପର୍ତିବିନ୍ଧା ଛକ ନିକଟରେ ଥିବା କିଛି ଟଲି ଚାଳକଙ୍କୁ ଟଲି ଆଗକୁ ନେବାକୁ କହିଥିଲେ ମହିଳା ମାନେ। କିନ୍ତୁ ଏହାକୁ ନେଇ ଟଲି ଚାଳକ ମହିଳା ସଫେଇ କର୍ମଚାରୀ ମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ଟ୍ରଲି ଚାଳକ ମାନେ ମହିଳା ସଫେଇ କର୍ମଚାରୀ ମାନଙ୍କୁ ମାଡ଼ ମାରିଥିଲେ । ଯାହାକୁ ବିରୋଧ କରି ସଫେଇ ମହିଳା କର୍ମୀ ମାନେ ଏବଂ ସ୍ଥାନୀୟ ଲୋକେ ଏକାଠି ହୋଇ ଅପର୍ତିବିନ୍ଧା ଛକ ନିକଟରେ ରାସ୍ତା ରୋକ କରି ଧାରଣାରେ ବସିଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା । ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଇଟିଭି ଭାରତ, ଭଦ୍ରକ