'ମୋ ପାଖକୁ କେହି ଆସି ନାହାଁନ୍ତି'; ବାସଭବନରେ ପୋଲିସ ପହଞ୍ଚିବା ଖବରକୁ ଖଣ୍ଡନ କଲେ ବ୍ରିଜଭୂଷଣ
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି କୁସ୍ତିଯୋଦ୍ଧା । ସେମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସ ରୁଜୁ କରିଥିବା ମାମଲା ପ୍ରତ୍ୟାହୃତ କରାଯିବା ସହ କୁସ୍ତିସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉଚିତ ତଦନ୍ତ ନେଇ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଶୃତି ମିଳିଛି । ସେଥିପାଇଁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ପରେ ସେମାନେ ଆନ୍ଦୋଳନ ସ୍ଥଗିତ ରଖିଥିବା ନେଇ ଘୋଷଣା କରିଛନ୍ତି । ଏହାପରେ ଆଜି କୁସ୍ତିସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ବାସଭବନରେ ପୋଲିସ ପହଞ୍ଚିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହାକୁ ଖଣ୍ଡନ କରିଛନ୍ତି ବ୍ରିଜଭୂଷଣ । ମୋ ପାଖକୁ କେହି ଆସି ନାହାନ୍ତି ବୋଲି ସେ କହିଛନ୍ତି । ସେପଟେ ତାଙ୍କ ବିରୋଧରେ ହୋଇଥିବା ପକ୍ସୋ ଅଭିଯୋଗ ନେଇ ସେ କହିଛନ୍ତି, "ସମସ୍ତ ମାମଲା କୋର୍ଟରେ ଅଛି । ଆସନ୍ତା ଜୁନ୍ ୧୫ ମଧ୍ୟରେ ଚାର୍ଜସିଟ୍ ଫାଇଲ ହେବାନେଇ ସରକାରଙ୍କ ତରଫରୁ ପ୍ରତିଶୃତି ମିଳିଛି । ଏହା ହେବାକୁ ଦିଆଯାଉ । ମୁଁ ଏବେ କିଛି କହିବା ଉଚିତ ମନେ କରୁନି ।"