କୁବେର ଯନ୍ତ୍ରୀଙ୍କ ଘରେ ରାତି ଅଧିଆ ଭିଜିଲାନ୍ସ ରେଡ୍: ବଣ୍ଡଲ ବଣ୍ଡଲ ଟଙ୍କା ଜବତ - kishore chandra sahu arrested
ଭବାନୀପାଟଣା:କୋଟିପତି ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢାଉ । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବଣ୍ଡଲ ବଣ୍ଡଲ ଟଙ୍କା ଜବତ କରିଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିପିଏସ୍ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ରହିଥିଲା। ଏନେଇ ଭିଜିଲାନ୍ସ ବିଭାଗ ଜାଣିବା ପରେ ଚଢାଉ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।
ଆଜି(ବୁଧବାର) ଭୋର ୩ ଟାରୁ ଭବାନୀପାଟଣା ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ୩ ମହଲା କୋଠା, ନର୍ଲା ଥାନା ଅନ୍ତର୍ଗତ ବାଲବସପୁରଠାରେ ଥିବା ପୈତୃକ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ରେଡ୍ କରାଯାଇଛି । କଳାହାଣ୍ଡି, କୋରାପୁଟ ଭିଜିଲାନ୍ସ ବିଭାଗର ୩ଟି ସ୍ଵତନ୍ତ୍ର ଟିମ୍ ଚଢାଉ କରିଥିବାବେଳେ ଅତିରିକ୍ତ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧ କୋଟି ୧୦ ଲକ୍ଷ ଟଙ୍କା ମୂଲ୍ୟର ୩ ମହଲା କୋଠା, ଭବାନୀପାଟଣାରେ ୧୦ ଡିସିମିଲ ଜାଗା ଯାହାର ମୂଲ୍ୟ ୧ କୋଟି ସହ ବ୍ୟାଙ୍କ୍ ଜମା ରାଶି ଓ ଜୀବନ ବୀମାରେ ପ୍ରାୟ ୧ କୋଟି ୫୪ ଲକ୍ଷ ଟଙ୍କା ଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ଲାଞ୍ଚ ନେବାବେଳେ ଧରାପଡିଲେ ଅମିନ, ଗିରଫ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ରେଡ୍
ଏନେଇ ଭିଜଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଅନେକ ଗୁରୁତ୍ତ୍ୱପୂର୍ଣ କାଗଜ ପତ୍ର ବ୍ୟାଙ୍କ୍ ପାସ୍ବୁକ୍ ଆଦି ଜବତ କରାଯିବା ସହ କୁବେର ଯନ୍ତ୍ରୀଙ୍କୁ ଗିରଫ କରି ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା କରାଯାଇଥିଲା । ଏହାପରେ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛି ଭିଜିଲାନ୍ସ ।
ଇଟିଭି ଭାରତ, କଳାହାଣ୍ଡି