ନବଦାସଙ୍କୁ କେମିତି ହତ୍ୟା କଲା ଗୋପାଳ ? ସାମ୍ନାକୁ ଆସିଲା ଗୁଳି ଚଳାଉଥିବା ଭିଡିଓ - ନବ ଦାସ ହତ୍ୟା ଘଟଣା
ଝାରସୁଗୁଡ଼ା: ଦିବଙ୍ଗତ ମନ୍ତ୍ରୀ ତଥା ଝାରସୁଗୁଡାର ବିଧାୟକ ନବ ଦାସଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ନିଜର ତଦନ୍ତ ଚଳାଇ ଥିବାବେଳେ ନବଙ୍କୁ ଗୋପାଳ କାହିଁକି ହତ୍ୟା କଲା ସେନେଇ ଛାନଭିନ ଚାଲିଛି । ହେଲେ ଏହାରି ଭିତରେ ସାମ୍ନାକୁ ଆସିଛି ଗୋପାଳ ଗୁଳି ମାରୁଥିବା ବେଳର ଏକ୍ସକ୍ଲୁସିଭ୍ ଭିଡିଓ । ଗୋପାଳ କିପରି ନବଦାସଙ୍କୁ ହତ୍ୟା କରିଛି, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଭିଡ ଭିତରୁ ଅତି ନିକଟରେ ଆସି ଗୁଳି କରି ଚାଲି ଯାଇଥିଲା ଗୋପାଳ ।
ଗତକାଲି(ସୋମବାର ) ଏକ ଫଟୋ ଜାରି ହୋଇଥିବାବେଳେ ଆଜି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଗୋପାଳ ଗୁଳି କରୁଥିବାର ଏକ ଫଟୋ ସାମ୍ନାକୁ ଆସିଛି । ନବଦାସଙ୍କ ସାମ୍ନାରେ ଠିଆ ହୋଇ ଦୁଇ ହାତରେ ବନ୍ଧୁକ ଧରି ତାଙ୍କ ଛାତିକୁ ଗୁଳି କରୁଥିବା ଫଟୋରୁ ଜଣାପଡୁଛି । ସେହିପରି ହତ୍ୟାକାଣ୍ଡ ସମୟର ଏକ ଭିଡିଓ ମଧ୍ୟ ଜାରି ହୋଇଛି । ଭିଡିଓରୁ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ଗୋପାଳ ସର୍ଭିସ ରିଭଲଭର ବାହାର କରୁଛି । ଉଭୟ ଫଟୋ ଓ ଭିଡିଓରୁ ଗୋପାଳ ହିଁ ନବଙ୍କୁ ଗୁଳି କରିଥିବା ଦେଖାଯାଉଛି ।
ସେଦିନ ଥିଲା ଜାନୁୟାରୀ ମାସ ୨୯ ତାରିଖ । ମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । ଏହି ସମୟରେ ଗାନ୍ଧୀଛକ ଅଞ୍ଚଳରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ଏହି ଭିଡିଓରେ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କ ପାଖକୁ ଆସି ଗୁଳି ମାରୁଥିବା ଦେଖିବାକୁ ମିଳୁଛି । ତେବେ ଏହାର ପରର ଘଟଣା କଣ ଥିଲା ତାହା ସମସ୍ତଙ୍କୁ ଜଣା । ସେଦିନ ଗୋପାଳ ଦାସ ମନ୍ତ୍ରୀଙ୍କୁ ଗୁଳି ମାରିବା ପରେ ନବ ଦାସଙ୍କ ଛାତିରେ ଗୁଳି ବାଜିଥିଲା । ଏହାପରେ ପ୍ରଚୁର ରକ୍ତସ୍ରାବ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା ।
ପୋଲିସ କର୍ମଚାରୀ ଏବଂ ଦଳୀୟ କର୍ମୀ ଏଏସଆଇ ଗୋପାଳକୁ କାବୁ କରିଥିଲେ । ପରେ ତାକୁ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ସ୍ବରେଜ ଟ୍ୟାଙ୍କରୁ କାଗଜଖଣ୍ଡ ବରାମତ, ଏହାପରେ ତିନି ପର୍ଯ୍ୟାୟରେ ରିମାଣ୍ଡ, କ୍ରାଇମସିନ ରିକ୍ରିୟେସନ, ନାର୍କୋଟିକ୍ ଟେଷ୍ଟ, ପଲିଗ୍ରାଫ ଟେଷ୍ଟ ଭଳି ଦିଗ ଆପଣାଇଥିଲା କ୍ରାଇମବ୍ରାଞ୍ଚ । ହେଲେ ବର୍ତ୍ତମାନ ସୁଦ୍ଧା ହତ୍ୟା ପଛର କାରଣ ସ୍ପଷ୍ଟ ଭାବରେ ଉନ୍ମୋଚିତ ହୋଇପାରିନାହିଁ ।
ଇଟିିଭି ଭାରତ, ଝାରସୁଗୁଡ଼ା