ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍, ଯାଜପୁରରେ ରେଳଯାତ୍ରୀଙ୍କ ମଧ୍ୟରେ ଉତ୍ସାହ
ଯାଜପୁର: ଖୁବଶୀଘ୍ର ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳୁ ଟ୍ରାଏଲ ରନ୍ ଆରମ୍ଭ କରିଛି । ହାଓଡା ପରେ ଖଡଗପୁର, ବାଲେଶ୍ବର ଓ ଭଦ୍ରକ ଅତିକ୍ରମ କରି ଯାଜପୁର ରୋଡ ରେଳ ଷ୍ଟେସନରେ 10.15 ମିନିଟ ସମୟରେ ପହଁଞ୍ଚିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନ୍ ପୁରୀରେ ମଧ୍ୟାହ୍ନ 12.35 ମିନିଟ୍ ସମୟରେ ପହଁଞ୍ଚିବ ବୋଲି ସୂଚନା ମିଳିଛି । ଏହି ଟ୍ରେନ୍ ଚଳାଚଳ ଫଳରେ ହାଓଡାରୁ ପୁରୀ ମାତ୍ର 6 ଘଣ୍ଟା 25 ମିନିଟ ଲାଗୁଛି । ସେହିପରି ହାଓଡାରୁ ଯାଜପୁରରେ ପହଞ୍ଚିବା ପାଇଁ ମାତ୍ର 4ଘଣ୍ଟା ସମୟ ଲାଗୁଛି । ବନ୍ଦେ ଭାରତ ଏକ୍ସପ୍ରେସ ଯାଜପୁରରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ଏବଂ ରେଳଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସାଧାରଣ ଟ୍ରେନ ଅପେକ୍ଷା ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଏହି ଟ୍ରେନରେ କମ୍ ସମୟ ଲାଗିବ । ଏଥିରେ ଯାତ୍ରୀ ମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଯାଜପୁର ରୋଡ ରେଳ ଷ୍ଟେସନରେ ଏହାକୁ ଦେଖିବା ପାଇଁ ପୂର୍ବରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଅପେକ୍ଷା କରି ରହିଥିଲେ ।
ଇଟିଭି ଭାରତ, ଯାଜପୁର