ଦାବି ପୂରଣ ନହେଲେ ସାମୁହିକ ମାର୍ଚ୍ଚ 15ରୁ ଛୁଟିରେ ଯିବେ ଏନପିଏସ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ - ଏନପିଏସ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ
ବ୍ରହ୍ମପୁର:ତିନି ଦଫା ଦାବି ନେଇ ଆଗାମୀ ୧୫ ତାରିଖରୁ ସାମୁହିକ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି ଏନପିଏସ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ । ଦୀର୍ଘ ବର୍ଷ ଧରି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ନିଜର ଦାବିକୁ ନେଇ ଗଣଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଉପସ୍ଥାପନା କରିଥିବା ବେଳେ କୌଣସି ସୁଫଳ ନମିଳିବାରୁ ଏଭଳି ଚରମ ପନ୍ଥା ଆପଣାଇବା ପାଇଁ ନିଷ୍ପତ୍ତି ନେଇଥିବା ସେମାନେ କହିଛନ୍ତି । ଏପରିକି ଆଗାମୀ ଦିନରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ମଧ୍ୟ ଏହି ଶିକ୍ଷକ ସଂଘ ସହଯୋଗ କରିବ ନାହିଁ ବୋଲି ରୋକଠୋକ ଜଣାଇଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ବିଭାଗର ଠିକା ନିଯୁକ୍ତି ବ୍ୟବସ୍ଥା ହଟାଇ ଦିଆଯାଇଥିବା କୁହାଯାଉଥିଲେ ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ତାହା କାର୍ଯ୍ୟକାରୀ ହୋଇନାହିଁ । ପୂର୍ବରୁ କାର୍ଯ୍ୟ କରିଥିବା ଛଅ ବର୍ଷର କାର୍ଯ୍ୟକାଳକୁ ନିଜର ସର୍ଭିସ୍ ପରିୟଡ ମଧ୍ୟରେ ସାମିଲ କରାଇବା ସହ ଛଅ ଗୋଟି ଇନଷ୍ଟାଲ ଇନକ୍ରିମେଣ୍ଟ ପ୍ରଦାନ କରିବାକୁ ଦାବି କରାଯାଇଛି । ସେହିପରି କେନ୍ଦ୍ରୀୟ ହାତରେ ଦରମା ପ୍ରଦାନ କରିବା ସହ ଗ୍ରେଡ ପେ କୁ ବୃଦ୍ଧି କରିବା, ବିଭିନ୍ନ ପୋଡ଼ଶୀ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପୁରୁଣା ପେନସନ୍ ବ୍ୟବସ୍ଥା ରହିଥିବା ଯୋଗୁଁ ଏହାକୁ ମଧ୍ୟ ଓଡିଶାରେ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଲାଗୁ କରାଇବା ପାଇଁ ଦାବି କରାଯାଇଛି । ଯଦି ସରକାର ଆଜି ଏହି ଦାବିକୁ ପୂରଣ ନକରନ୍ତି ତେବେ ଆସନ୍ତା ୧୫ ତାରିଖରୁ ସାମୁହିକ ଛୁଟିରେ ଯିବା ସହ ସରକାର ଦାବି ନମାନିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ ଦିଆଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର