3ମାସ ଧରି ଥାନାରେ 2ଟି ଛେଳି, ସେବା ଯତ୍ନ କରୁଛି ପୋଲିସ - goats at police station in balasore
Published : Sep 18, 2023, 9:51 PM IST
ବାଲେଶ୍ବର:ଗତ 3 ମାସ ଧରି ଥାନାରେ ଅଟକ ରହିଛନ୍ତି 2ଟି ଛେଳି। ଏକ ମାମଲାରେ ଛେଳି ଦୁଇଟି ଥାନାରେ ଥିବାବେଳେ ଏବେ ସେମାନଙ୍କ ସମସ୍ତ ଦାୟିତ୍ବ ତୁଲାଉଛି ପୋଲିସ। ଖାଦ୍ୟ ପେୟ ଦେବା ସହ ଛେଳିମାନଙ୍କ ଯତ୍ନ ନେଇ ଛେଳିଙ୍କ ଗୁହାଳ ମଧ୍ୟ ସଫା କରୁଛି ପୋଲିସ। ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନାରେ। ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବର ୨୧ ତାରିଖ କିଛି ଦୁର୍ବୃତ୍ତ ମୟୂରଭଞ୍ଜ ଅଞ୍ଚଳରୁ ୫ ଟି ଛେଳି ଚୋରି କରି ଆଣିଥିଲେ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଭାଲୁକାଶୁଣି ଛକ ନିକଟରେ ସେମାନେ ଛେଳି ଗୁଡ଼ିକୁ ଏକ ଗଛରେ ବାନ୍ଧି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କଠାରୁ ଛିନତାଇ କରୁଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତଙ୍କୁ ଗ୍ରାମବାସୀମାନେ କାବୁ କରିବା ସହ ୪ଟି ଛେଳିକୁ ଉଦ୍ଧାର କରିଥିଲେ।
ଏହା ବି ପଢନ୍ତୁ...ଛେଳି ପାଇଁ ଟ୍ରେନ ଟିକେଟ କାଟିଲେ ମହିଳା, ସଚ୍ଚୋଟତାର ପରିଚୟ ଦେଇ କିଣିଲେ ମନ
ପରେ ଦୁର୍ବୃତ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ। ତେବେ ଗତ 3 ମାସ ପୂର୍ବରୁ ଛେଳି ଗୁଡ଼ିକ କିଏ ପୋଷିବ ସେନେଇ ଗ୍ରାମବାସୀଙ୍କ ମଧ୍ୟରେ ଟଣା ଓଟରା ଲାଗିଥିଲା। ଆପୋଷ ବୁଝାମଣା ବିଫଳ ହେବାରୁ ଶେଷରେ ଗ୍ରାମବାସୀ ଛେଳି 2ଟିକୁ ଧରି ନୀଳଗିରି ଥାନାରେ ପହଞ୍ଚି ଥିଲେ। ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ସବୁକଥା ଶୁଣି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ। ମାତ୍ର କୌଣସି ସମାଧାନର ରାସ୍ତା ନ ବାହାରିବାରୁ ଶେଷରେ ଛେଳି 2ଟି ଥାନାରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେହିଦିନ ଠାରୁ ଛେଳିଙ୍କ ଦାୟିତ୍ୱ ବୁଝୁଛି ପୋଲିସ।
ଇଟିଭି ଭାରତ, ବାଲେଶ୍ବର