5 ଘଣ୍ଟାର ଅପରେସନ୍ ପରେ ମୁକୁଳିଲା ହାତୀ, ଆମ୍ବ ଖାଇବାକୁ ଆସି ଗଛରେ ଫସିଥିଲା - ହାତୀ ଭିଡିଓ
ଅନୁଗୋଳ:ଦୀର୍ଘ ୧୮ ଘଣ୍ଟା ଧରି ଫସିବା ପରେ ମୁକୁଳିଲା ହାତୀ । ଆମ୍ବ ଖାଇବାକୁ ଆସି ଅନୁଗୋଳ ବନାଞ୍ଚଳ ବୃତ୍ତି ଗାଁ ଆମ୍ବ ତୋଟାରେ ଫସିଥିଲା ହାତୀ । ଯାହାକୁ ଉଦ୍ଧାର କରିବାରେ ସମର୍ଥ ହୋଇଛି ବନ ବିଭାଗ। ଅନୁଗୋଳ ବନାଞ୍ଚଳର ବୃତ୍ତି ଗାଁ ନିକଟ ଏକ ଜଙ୍ଗଲରେ ଆମ୍ବ ଖାଇବାକୁ ଆସି ମାଈହାତୀଟି ଦୀର୍ଘ ସମୟ ଗଛ ଭିତରେ ଫସି ରହି ଚିତ୍କାର କରୁଥିଲା । ବନ ବିଭାଗର ଦୀର୍ଘ ୫ଘଣ୍ଟାର ଅପରେସନ ପରେ ହାତୀଟି ସେଠାରୁ ଉଦ୍ଧାର ହୋଇପାରିଛି । ହାତୀ ଏବେ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛି ।
ଗତକାଲି ରାତିରେ ହାତୀଟି ଆମ୍ବ ଖାଇବାକୁ ଗାଁ ନିକଟ ଜଙ୍ଗଲକୁ ଆସିଥିଲା । ଶୁଣ୍ଢ ବଢ଼ାଇ ଆମ୍ବ ଖାଉଥିବା ବେଳେ ଗଛର ଦୁଇଟି ମୋଟା ଡାଳ ଭିତରେ ତା ଆଗ ଗୋଡ଼ ଫସି ଯାଇଥିଲା। ଫଳରେ ହାତୀଟି ସେଠାରୁ ଯାଇନପାରି ତଳେ ପଡି ଯାଇଥିଲା । ଯନ୍ତ୍ରଣାରେ ଚିତ୍କାର କରୁଥିଲା । ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଫଳରେ ଆଜି ସକାଳେ ସହକାରୀ ବନ ସଂରକ୍ଷକଙ୍କ ତତ୍ତ୍ବାବଧାନରେ ଏକ ଟିମ ଘଟଣାସ୍ଥଳକୁ ଯାଇ ହାତୀ ଉଦ୍ଧାର କାମରେ ଲାଗି ପଡ଼ିଥିଲେ।
ଏହା ବି ପଢନ୍ତୁ- ଆମ୍ବ ଖାଇବାକୁ ଆସି ଗଛ ମଝିରେ ଫସିଛି ହାତୀ, ଉଦ୍ଧାର କାର୍ଯ୍ୟ ଜାରି
ତେବେ ଜେସିବି ସହାୟତାରେ ଗଛ ଡାଳକୁ ଭାଙ୍ଗିବା ପରେ ହାତୀର ଗୋଡ଼ ବାହାରିଥିଲା । କିନ୍ତୁ ହାତୀଟି ସେଠାରୁ ଉଠି କୁଆଡେ ଯାଇ ପାରିନଥିଲା । ଏହାପରେ ଡାକ୍ତର ଚିକିତ୍ସା କରିବା ପରେ କିଛି ସମୟ ପରେ ହାତୀ ସେଠାରୁ ଉଠି ଜଙ୍ଗଲକୁ ଯାଇଛି । ବର୍ତ୍ତମାନ ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ବନ ବିଭାଗର ଏକ ଟିମ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।
ଇଟିଭି ଭାରତ, ଅନୁଗୋଳ