ଶ୍ରାବଣ ମାସର ପ୍ରଥମ ସୋମବାର: ଅଷ୍ଟସମ୍ଭୁଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ
ସୁବର୍ଣ୍ଣପୁର:ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ଐତିହାସିକ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରର ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଲାଗି ରହିଛି । ଆଜି ସହରର ଅଷ୍ଟଶମ୍ଭୁଙ୍କ ପୀଠ ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ହଜାର ହଜାର କାଉଡିଆଙ୍କ ସମାଗମରେ ଉତ୍ସବ ମୁଖର ସହର । ବୋଲବମ ଭକ୍ତଙ୍କର ଶିବଶଙ୍କର ଧ୍ବନିରେ ଗଗନ ପବନ ମୁଖରିତ ହୋଇ ଉଠିଛି । ତେବେ ଆଜି ପାହାନ୍ତିଆରୁ ଶ୍ରଦ୍ଧାଳୁମାନେ ଜଳ ଲାଗି କରିବା ପାଇଁ ମନ୍ଦିର ଗୁଡିକରେ ଲମ୍ବା ଧାଡିରେ ରହିଥିବା ଦେଖିବାକୁ ମିଳିଛି । ବିଶେଷକରି ବାବା ସୁବର୍ଣ୍ଣମେରୁ ,ରାମେଶ୍ବର ,ପଶ୍ଚିମ ସୋମନାଥ, ଗୋକର୍ଣ୍ଣେଶ୍ବର ଓ ଲୋକନାଥ ଆଜି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ରହିଥିଲା । କାଉଡିଆମାନେ ତେଲନଦୀ, ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଙ୍ଗମରେ ସ୍ନାନ କରି ଜଳ କଳସୀ ନେଇ ଅଷ୍ଟଶମ୍ଭୁଙ୍କ ବିଭିନ୍ନ ମନ୍ଦିରରେ ଜଳ ଚଢାଇଛନ୍ତି ।
ଅନ୍ୟପଟେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କାଉଡ଼ିଆମାନଙ୍କୁ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ମନ୍ଦିରଗୁଡିକରେ ଶ୍ରଦ୍ଧାଳୁ ଓ କାଉଡ଼ିଆମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ସହରର ଅଷ୍ଟଶମ୍ଭୁଙ୍କ ମନ୍ଦିର ବାହାରେ ଶ୍ରଦ୍ଧାଳୁ ଓ କାଉଡିଆମାନଙ୍କ ପାଇଁ ପିଇବା ପାଣି, ଗ୍ଳୁକୋଜ୍, ତଥା ମାଗଣା ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି । ତେବେ କାଉଡିଆଙ୍କ ଶିବଶଙ୍କର ଜୟଧ୍ବନିରେ ସହର ଉତ୍ସବ ମୁଖରିତ ହୋଇ ପଡିଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କାଉଡ଼ିଆଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ,ସୁବର୍ଣ୍ଣପୁର