ମହୁଆଙ୍କୁ ବହିଷ୍କାର ନେଇ ବିଜେପିକୁ ଦାୟୀ କଲେ ଦିଦି: 'ଗଣତନ୍ତ୍ରକୁ କରାଯାଇଛି ହତ୍ୟା' - ବିଜେପିକୁ ଟାର୍ଗେଟ
Published : Dec 8, 2023, 7:57 PM IST
କୋଲକାତା:ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର ନେଇ, ବିଜେପି ବିରୋଧରେ ପ୍ରବଳ ଗର୍ଜିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦି କଡ଼ା ନିନ୍ଦା କରିବା ସହ କହିଛନ୍ତି ଯେ, 'ଏହା ବିଜେପିର ଉଦ୍ଦେଶ୍ୟ ପ୍ରଣୋଦିତ ରାଜନୀତି । ସେମାନେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ମହୁଆ ମୋଇତ୍ରା ରାଜନୈତିକ ଯୁଦ୍ଧରେ ବିଜୟୀ ହେବେ । ଜନତା ତାଙ୍କୁ ନ୍ୟାୟ ପ୍ରଦାନ କରିବେ । ଆସନ୍ତା ନିର୍ବାଚନରେ ଜନତା, ବିଜେପିକୁ ଶିକ୍ଷା ଦେବା ସହ ପୁଣି ଥରେ ପରାସ୍ତ କରିବେ ।' ମମତା ବାନାର୍ଜୀ କହିଛନ୍ତି ଯେ, 495 ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଗଲା । ଲୋକସଭାରେ ମାତ୍ର ଅଧଘଣ୍ଟା ଆଲୋଚନା ହେଲା । ଦଳଗୁଡ଼ିକୁ ମାତ୍ର ତିନି ଚାରି ମିନିଟ ସମୟ ଦିଆଗଲା । ସବୁଠୁ ଦୁର୍ଭାଗ୍ୟ କଥା, ମହୁଆ ମୋଇତ୍ରାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଗଲା ନାହିଁ । ସଂସଦୀୟ ଗଣତନ୍ତ୍ରରେ ଏହା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି । ଏଥିକ୍ସ କମିଟିର ରିପୋର୍ଟ ଅନୁସାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ