ପାଠ ପଢିଲେ 90 ହଜାର ଖର୍ଚ୍ଚ କଲେ, ହେଲେ କାମରେ ଆସୁନି ସାର୍ଟିଫିକେଟ - କାମରେ ଆସୁନି ସାର୍ଟିଫିକେଟ
ବାଲେଶ୍ଵର: ବାଲେଶ୍ଵରରେ ଏକ ବେସରକାରୀ ଶିକ୍ଷା ଅନୁଷ୍ଠାନରେ ପାରାମେଡ଼ିକାଲ ଶିକ୍ଷା ନାଁରେ ଜାଲିଆତି ହୋଇଥିବା ଅଭିଯୋଗ । ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନ ବିରୋଧରେ ତେଜିବା ସହ ଥାନାର ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ ବାଲେଶ୍ଵର ସଦର ଥାନାରେ ପହଞ୍ଚି ଦିଲ୍ଲୀ ପାରା ମେଡିକାଲ ଆଣ୍ଡ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ସଂସ୍ଥା ନାମରେ ଠକେଇ ଅଭିଯୋଗ ଆଣିଥିଲେ ।
ଅଭିଯୋଗକାରୀ ଛାତ୍ରୀ ସଞ୍ଜନା ନାୟକ କହିଛନ୍ତି, ‘‘ପାରାମେଡ଼ିକାଲ କୋର୍ସ ପାଇଁ ଡିଏମଏଲଟି ନାମ ଲେଖାଇଥିଲେ । ଇନଷ୍ଟିଚ୍ୟୁଟ କୋର୍ସ ଫି ବାବଦକୁ ଦୁଇ ବର୍ଷ ପାଇଁ ୯୦ ହଜାର ଟଙ୍କା ନେଇଥିଲେ । ହେଲେ ପାରାମେଡ଼ିକାଲ ଶିକ୍ଷା ଶେଷ ପରେ ସଂସ୍ଥା ତରଫରୁ ଦିଆଯାଇଥିବା ସାର୍ଟିଫିକେଟ କୌଣସି କାମକୁ ନୁହେଁ । ଓଡ଼ିଶା ସରକାରଙ୍କ ଅଧୀନରେ ଲ୍ୟାବ ଟେକ୍ନିସିଆନ ଓ ରେଡ଼ିଓ ଗ୍ରାଫର ପୋଷ୍ଟ ପାଇଁ ଆବେଦନ କରିଥିବା ସମୟରେ ସାର୍ଟିଫିକେଟ ଗ୍ରହଣୀୟ ହୋଇନଥିଲା । ଏହା ରାଜ୍ୟ ସରକାରଙ୍କ ଦ୍ବାରା ପଞ୍ଜିକୃତ ସଂସ୍ଥା ନୁହେଁ । ତେଣୁ ଚାକିରୀ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛୁ ।’’
ଏହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏହି ମାମଲାରେ ସଂସ୍ଥାର ଡାଇରେକ୍ଟର ବୁଦ୍ଧିରାମ ରାଉଳଙ୍କୁ ବାଲେଶ୍ଵର ସଦର ଥାନା ପୋଲିସ ଥାନାରେ ଅଟକରଖି ପଚରାଉଚୁରା ଜାରି ରଖିଛି ।
ଇଟିଭି ଭାରତ, ବାଲେଶ୍ବର