Snana Purnima: ଝୁଲି ଝୁଲି ସ୍ନାନବେଦୀକୁ ଆସୁଛି କାଳିଆ - ସ୍ନାନ ଯାତ୍ରା
ପୁରୀ: ଜଗତର ନାଥ ଜଗନ୍ନାଥ, କିଏ ତାକୁ ଭାବ ବିନୋଦିଆ କାଳିଆ ଠାକୁର କୁହେତ ପୁଣି କିଏ କାଳିଆ ସାଆନ୍ତେ ବୋଲି ଡାକେ । ତାର ଲୀଳା କାହାକୁବା ଜଣା । ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା । ନୀତିକାନ୍ତି ପରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି ବିଜେ । ପ୍ରଥମେ ପହଣ୍ଡି ବିଜେରେ ଝୁଲି ଝୁଲି ଆସି ସ୍ନାନ ମଣ୍ଡପରେ ବିଜେ କରିଥିଲେ ବଳଭଦ୍ର ଓ ପରେ ଦେବୀ ସୁଭଦ୍ରା । ଶେଷରେ ରତ୍ନ ସିଂହାସନରୁ ଓହ୍ଳାଇ ଆସି ସ୍ନାନ ମଣ୍ଡପକୁ ଝୁଲି ଝୁଲି ଆସିଥିଲେ ମହାପ୍ରଭୁ ଜଗନ୍ନାଥ । କାଳିଆର ସେ କଳା ଶ୍ରୀମୁଖକୁ ଦେଖିବାକୁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । କାଳିଆ ତାର ଚକା ଆଖିରେ ଟୁକୁ ଟୁକୁ କରି ଭକ୍ତଙ୍କୁ ଅନାଇ ରହିଛି । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ମଧ୍ୟାହ୍ନ ୨ଟାରେ ଛେରା ପହଁରା ପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେହେ ମହାପ୍ରଭୁ ।