ଓଡିଶା

odisha

ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ପୂର୍ଣ୍ଣ ବିଗ୍ରହଙ୍କ ସ୍ନାନ

ETV Bharat / videos

ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ସ୍ନାନ କଲେ ପୂର୍ଣ୍ଣ ବିଗ୍ରହ

By

Published : Jun 4, 2023, 7:50 PM IST

ଖୋର୍ଦ୍ଧା:ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଏଥିପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବ ମୁଖର ଥିବାବେଳେ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧା ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଅନନ୍ତ ପୁରୁଷୋତ୍ତମ କ୍ଷେତ୍ର । ଏଠାରେ ପୂଜା ପାଉଥିବା ହାତ ଗୋଡ଼ ଥିବା ପୂର୍ଣ୍ଣ ବିଗ୍ରହ ଚତୁର୍ଦ୍ଧା ମୂର୍ତ୍ତି ବିଶ୍ୱର ଅନ୍ୟ କେଉଁଠି ଦେଖିବାକୁ ମିଳନ୍ତି ନାହିଁ । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସାରି ଗୋଟି ପହଣ୍ଡିରେ ସ୍ନାନ ବେଦୀକୁ ଅଣାଯାଇଥିଲା । ପରେ ଶହେ ଆଠ ସୁବାସିତ ଜଳରେ ଚତୁର୍ଦ୍ଧା ମୂର୍ତିଙ୍କୁ ସ୍ନାନ କରାଯାଇଛି । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ଆଜି ମହାପ୍ରଭୁ ଅତ୍ୟଧିକ ସ୍ନାନ କାରଣରୁ ଅସୁସ୍ଥ ହୋଇ ଅଣସର ଘରେ ରହିବେ ଏବଂ ଭକ୍ତମାନେ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ।

ଖୋର୍ଦ୍ଧା ଜିଲ୍ଲା ଜାଗୁଳାଇପାଟଣାରେ ଅବସ୍ଥିତ ଏହି ଅନନ୍ତପୁରୁଷୋତ୍ତମ ଦେବଙ୍କ ମନ୍ଦିରଟି ଅନେକ ପୁରୁଣା ବୋଲି କିମ୍ବଦନ୍ତୀ କୁହେ । ତେବେ ଏହି ମନ୍ଦିରରେ ପୂଜା ପାଆନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳରାମ, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନ । ଏହି ମନ୍ଦିରର ବିଶେଷତ୍ବ ହେଉଛି ଏଠାରେ ଶ୍ରୀଜିଉଙ୍କ ପ୍ରତିମୂର୍ତ୍ତି ପୂର୍ଣ୍ଣ ବିଗ୍ରହ ଅଟନ୍ତି । ଅର୍ଥାତ ହାତଗୋଡ଼ ଥାଇ ଏହି ପ୍ରତିମା ନିର୍ମାଣ କରାଯାଇଛି । ଯାହା ସମଗ୍ର ବିଶ୍ୱରେ ବିରଳ । ସାଧାରଣତଃ ଚତୁର୍ଦ୍ଧାମୂର୍ତ୍ତିଙ୍କର ହାତଗୋଡ଼ ନଥିବା ବେଳେ ଏଠାରେ ଦେଖାଯାଇଛି ବ୍ୟତିକ୍ରମ । ତେବେ ଏହା ପଛରେ ରହିଛି ରୋଚକ ତଥ୍ୟ । ସେତେବେଳେର ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କୁ ସ୍ବପ୍ନାଦେଶ ହେବାରୁ ସେ ଏଠାରେ ମନ୍ଦିର ତୋଳାଇବା ସହ ପୂର୍ଣ୍ଣ ବିଗ୍ରହ ଦାରୁବ୍ରହ୍ମ ନିର୍ମାଣ କରାଇଥିଲେ । ସେବେଠାରୁ ଏହି ଦିବ୍ୟପୀଠରେ ପ୍ରଭୁ ପୂର୍ଣ୍ଣ ବିଗ୍ରହରେ ପୂଜା ପାଇ ଆସୁଛନ୍ତି । ଶ୍ରୀକ୍ଷେତ୍ର ରଥଯାତ୍ରା ଭଳି ଶ୍ରୀ ଅନନ୍ତପୁରୁଷୋତ୍ତମଙ୍କ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଛି । 1983 ମସିହାଠାରୁ ନିୟମିତ ଭାବେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ।



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details