Watch: ପେନସିଲ ମୁନରେ କ୍ଷୁଦ୍ରତମ ଅଶୋକସ୍ତମ୍ଭ କରି ବିଶ୍ବନାଥଙ୍କ ବିଶ୍ୱ ରେକର୍ଡ - ashok stambh on pencil
Published : Oct 4, 2023, 7:05 PM IST
ବାଲେଶ୍ୱର: ସବୁଠାରୁ କ୍ଷୁଦ୍ରତମ ଅଶୋକସ୍ତମ୍ଭ ପ୍ରସ୍ତୁତ କରି 'ୱାର୍ଲଡ ୱାଇଡ୍ ବୁକ୍ ଅଫ୍ ରେକର୍ଡ'ରେ ସ୍ଥାନ ପାଇଲେ ବାଲେଶ୍ୱରର ପଥରଶିଳ୍ପୀ ବିଶ୍ୱନାଥ ରଣା । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ପାଇକସ୍ତା ଗ୍ରାମର ଯୁବ ପଥର ଶିଳ୍ପୀ ବିଶ୍ୱନାଥ ଏବେ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ପେନସିଲ ମୁନରେ ବିଶ୍ଵନାଥ ମାତ୍ର 45 ମିନିଟରେ ଏମିତି କ୍ଷୁଦ୍ରତମ ଅଶୋକ ସ୍ତମ୍ଭ ତିଆରି କରି ଚର୍ଚ୍ଚାରେ ରହିଛନ୍ତି । ତାଙ୍କର କାରୁକାର୍ଯ୍ୟ ପାଇଁ ଆଜି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏବେ ସେ ଗୁଜୁରାଟରେ ରହୁଥିବାବେଳେ ନିଜର ଏମିତି କାରୁକାର୍ଯ୍ୟ ପାଇଁ ପୂର୍ବରୁ ମଧ୍ୟ ବେଶ ପ୍ରଶଂସିତ ହୋଇଛନ୍ତି ।
ଏହା ବି ପଢନ୍ତୁ...ପ୍ରଜାପତି ପ୍ରେମରେ ହାର୍ଦ୍ଦିକ, ହାତେଇଛନ୍ତି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ
ପୂର୍ବରୁ ବିଶ୍ୱନାଥ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାତ ତିଆରି ମୂର୍ତ୍ତି ଉପହାର ଦେଇଥିଲେ। ଏହାସହିତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନିଜ ହାତରେ ତିଆରି ମୂର୍ତ୍ତି ପ୍ରଦାନ କରି ପୁରସ୍କୃତ ହୋଇଛନ୍ତି। ଓଡିଶା ସମେତ ପଶ୍ଚିମବଙ୍ଗ, ଗୁଜୁରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ ଏବଂ ତାମିଲନାଡୁର ବିଭିନ୍ନ ମନ୍ଦିରରେ ତାଙ୍କର ହାତ ତିଆରି ପ୍ରତିମୂର୍ତ୍ତି ଶୋଭା ପାଉଛି । ଏହାସହ ବିଶ୍ଵନାଥଙ୍କ ଦ୍ଵାରା ଓଡ଼ିଶାର ରାଜଭବନରେ ଥିବା 10 ଫୁଟର ଭାରତ ମାତାଙ୍କ ପ୍ରତିମୂର୍ତ୍ତି ଏବଂ ପଥରରେ କୋଣାର୍କ ଚକ୍ର ନିର୍ମାଣ ହୋଇଛି । ବିଶ୍ୱନାଥ ୨ ମାସ ତଳେ ପେନସିଲ ମୁନରେ ୦.୫ ସେଣ୍ଟିମିଟରର ଅଶୋକସ୍ତମ୍ଭ ନିର୍ମାଣ କରି ବିଶ୍ୱ ରେକର୍ଡରେ ନିଜ ସ୍ଥାନ ଅକ୍ତିଆର କରିଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଇଟିଭି ଭାରତ, ବାଲେଶ୍ବର