ଓଡିଶା

odisha

Slum people demand before CMC

ETV Bharat / videos

କଟକ ବସ୍ତିକୁ କାଳବୈଶାଖୀ ଭୟ, ବାତ୍ୟା ଆଶ୍ରୟ ସ୍ଥଳ ଦାବି ଉଠିଲା

By

Published : May 23, 2023, 5:21 PM IST

Updated : May 23, 2023, 5:28 PM IST

କଟକ:ସିଏମସି ଆଗରେ ଗର୍ଜିଲେ ବସ୍ତି ବାସିନ୍ଦା । କାଳବୈଶାଖୀରେ ବାସିନ୍ଦାଙ୍କ ଘର ଭଙ୍ଗା ସହାୟତା ଓ ପଟ୍ଟା ସହ ସ୍ଥାୟୀ ଘର ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧୯ତାରିଖ ଅପରାହ୍ନରେ ଭୟଙ୍କର ଝଡବର୍ଷାରେ ପ୍ରଶାସନ ଉଚ୍ଛେଦ କରି ରଖିଥିବା ବସ୍ତି ଓ ଅନ୍ୟାନ୍ୟ ବସ୍ତିଗୁଡିକର କିଛି ଘର ଭାଙ୍ଗିବା ଓ ଅନେକ ଘରର ଆଜବେଷ୍ଟସ୍ ଓ ଟିଣ ସିଟ୍ ଉଡିଯିବା ଦ୍ବାରା ବହୁ ଆସବାବପତ୍ର ନଷ୍ଟ ହୋଇଛି । ଯାହାକୁ ନେଇ ଆଜି ନ୍ୟାୟ ପାଇବା ପାଇଁ ଆନ୍ଦୋଳନ ପନ୍ଥା ଆପଣେଇଛନ୍ତି ବସ୍ତି ବାସିନ୍ଦା ।  

ବସ୍ତି ବାସିନ୍ଦାଙ୍କ କହିବାନୁସାରେ, ୨ବର୍ଷ ପୂର୍ବରୁ ବସ୍ତିଗୁଡିକୁ ଆଇନ ସମ୍ମତ ଉପଯୁକ୍ତ ଥଇଥାନ ନକରି ହଜାର ହଜାର ପରିବାରକୁ ନଦୀଶଯ୍ୟାରେ ବେଆଇନ ଭାବେ ଜଗତପୁର ବିରୂପା କୂଳ ନିମପୁରଠାରେ ଏବଂ କାଠଯୋଡ଼ି କୂଳ ବାଲିସାହିଠାରେ ରଖାଗଲା ।  ବସ୍ତିଗୁଡିକୁ ଆଇନ ସମ୍ମତ ଥଇଥାନ ନ କରାଯାଇ ସ୍ଥାୟୀ ଘର ନଦେବା ଫଳରେ ବସ୍ତିବାସିନ୍ଦାମାନେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ଆକସ୍ମିକ ଭାବେ କୌଣସି ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ହେଲେ ବହୁ ଧନ ଜୀବନ ଯିବାର ଆଶଙ୍କା ରହିଛି । ବର୍ତ୍ତମାନ ସ୍ଥିତିରେ ଜଗତପୁର ନିମପୁରର ବିରୁପା କୂଳ ବସ୍ତିଗୁଡିକର ଓ କାଠଯୋଡି କୂଳ ବାଲିସାହି ବସ୍ତିଗୁଡିକର ଅନେକ ବାସିନ୍ଦା ସେମାନଙ୍କର ପିଲାଛୁଆ ଧରି ଖୋଲା ଆକାଶ ତଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଭିତରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି।

ଏହା ବି ପଢନ୍ତୁ-  ଯୁବକଙ୍କ ସନ୍ଦେହଜନକ ମୃତ୍ୟ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏଭଳି ଦୟନୀୟ ପରିସ୍ଥିତିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜଗତପୁର ବିରୁପାକୂଳ ବସ୍ତି ଓ କାଠଯୋଡି କୂଳ ବାଲି ସାହି ବସ୍ତିରେ ଝଡ ବର୍ଷାରେ କେତେକ ଘର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଅନେକ ଘରର ଆଜବେଷ୍ଟସ୍ ସିଟ ଉଡିଯାଇଥିଲା । ଫଳରେ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିବାରୁ ସେହି କ୍ଷତିଗ୍ରସ୍ତ ପରିବାରଗୁଡିକୁ ଅବିଳମ୍ବେ ଘର ନିର୍ମାଣ ଓ ଆନୁସଙ୍ଗିକ ସହାୟତା ଯୋଗାଇ ଦେବା ଓ ଦୁଇବର୍ଷ ପୂର୍ବରୁ ପ୍ରଶାସନ ଦ୍ବାରା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇ ଜଗତପୁର ବିରୁପାକୂଳରେ ଏବଂ କାଠଯୋଡ଼ି କୂଳ ବାଲିସାହିରେ ବସ୍ତିଗୁଡିକର ରଖାଯିବା ଦିନରୁ ବାସିନ୍ଦାମାନେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀଣ ହୋଇ ଆସୁଛନ୍ତି । 

ଯଥାଶୀଘ୍ର ସେମାନଙ୍କୁ ପଟ୍ଟା ପ୍ରଦାନ କରି ଆବାସ ଯୋଜନାରେ ସ୍ଥାୟୀ ଘର ନିର୍ମାଣ କରି ଯୋଗାଇ ଦେବା, କାଠଯୋଡି କୂଳ ସିଡିଏ ୧୧ରୁ ୧୩ ନମ୍ବର ପର୍ଯ୍ୟନ୍ତ ବସ୍ତିଗୁଡିକର ବହୁ କୁଡିଆ ଝଡରେ ଉଡିଯାଇଛି । ଯଥାଶୀଘ୍ର ଶ୍ରମଜୀବୀ ବସ୍ତିବାସିନ୍ଦାମାନଙ୍କୁ ସହାୟତା ଯୋଗାଇ ଦେବା ପ୍ରମୁଖ ଦାବି କରାଯାଇଛି ।  ଅନ୍ୟପଟେ ସିଏମସି କର୍ପୋରେଟର ମଧ୍ୟ ଏହି ଅବସ୍ଥାକୁ ନେଇ ସିଏମସିକୁ ଟାର୍ଗେଟ କରିଛନ୍ତି ।  ବସ୍ତି ବାସିନ୍ଦାଙ୍କ ଯଥାଶୀଘ୍ର ନ୍ୟାୟ ଦେବା ସହ ବସ୍ତି ଅଞ୍ଚଳରେ ଏକ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦାବି କରିଛନ୍ତି କର୍ପୋରେଟର ।  

ଇଟିଭି ଭାରତ, କଟକ

Last Updated : May 23, 2023, 5:28 PM IST

ABOUT THE AUTHOR

...view details