ଓଡିଶା

odisha

ଗୁରୁତର ରୋଗୀର ଷ୍ଟିଚ କରୁଛନ୍ତି ସିକ୍ୟୁରିିଟି ଗାର୍ଡ

ETV Bharat / videos

ଗୁରୁତର ରୋଗୀର ଷ୍ଟିଚ୍‌ କରୁଛନ୍ତି ସିକ୍ୟୁରିିଟି ଗାର୍ଡ, ଭିଡ଼ିଓ ଭାଇରାଲ

By

Published : May 28, 2023, 8:35 PM IST

ଯାଜପୁର: ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର । ଡାକ୍ତର ବଦଳରେ ଗୁରୁତର ରୋଗୀଙ୍କ ଷ୍ଟିଚ୍‌ କରୁଛନ୍ତି ସିକ୍ୟୁରିଟି ଗାର୍ଡ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାଜପୁର ରୋଡ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଭିଡ଼ିଓ ଭାଇରାଲ ହେବାପରେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟାବସ୍ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ କୋରାଇ ଥାନା ଭାଲୁକାହୁଡ଼ି ଛକ ନିକଟରେ ଦୁର୍ଘଟଣାରେ ଦୁଇଜଣ ଆହତ ହୋଇ ଚିକିତ୍ସା ନିମନ୍ତେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ହାତଗୋଡ଼ ଭାଙ୍ଗିବା ସହିତ ମୁଣ୍ଡରେ ଆଘାତ ଲାଗିଥିଲା । ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା ପାଇଁ ତୁରନ୍ତ ଡ୍ରେସିଂ ରୁମ୍‌କୁ ପଠାଇ ଦେଇଥିଲେ । ଡ୍ରେସିଂ ରୁମ୍‌ରେ ଦୁଇଜଣ ପୁରୁଖା କର୍ମଚାରୀ ଥିଲେ ମଧ୍ୟ ଆହତ ବ୍ୟକ୍ତିଙ୍କ ମୁଣ୍ଡର କ୍ଷତକୁ ଷ୍ଟିଚ କରୁଥିଲେ ଜଣେ ସିକ୍ୟୁରିଟି ଗାର୍ଡ । ତେବେ ଛୁଞ୍ଚିସୂତା ଓ କଇଁଚି ଧରି ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ମୁଖରେ ସିକ୍ୟୁରିଟି ଗାର୍ଡ ସିଲେଇ କରୁଥିଲେ ମଧ୍ୟ କେହି ବିରୋଧ କରିନଥିଲେ । ତେବେ ଏହି ଘଟଣାକୁ ସମ୍ପୃକ୍ତ ସିକ୍ୟୁରୀଟି ଗାର୍ଡ ଖଣ୍ଡନ କରିଛନ୍ତି । ସେପଟେ ଏହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ଯାଜପୁର ହେଇଥିବା ବେଳେ ଏଠାରେ ସ୍ୱାସ୍ଥ୍ୟ ଅବସ୍ଥା ଏଭଳି । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଣେ ସିକ୍ୟୁରୀଟି ଗାର୍ଡ ରୋଗୀର ଚିକିତ୍ସା କରିବାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details