Sawan Somwar: ଶ୍ରାବଣ ପ୍ରଥମ ସୋମବାର, ଦେଖନ୍ତୁ ବାବା ମହାକାଳଙ୍କ ଭସ୍ମ ଆଳତୀ - ମହାକାଳେଶ୍ବର ମନ୍ଦିର
ଭୋପାଳ:ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେଶର ସମସ୍ତ ଶୈବପୀଠ ଶିବମୟ ହୋଇଛି । ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । 12ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳେଶ୍ବର ମନ୍ଦିର ମଧ୍ୟ ଅନ୍ୟତମ । ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଭୋଳାବାବାଙ୍କ ଭସ୍ମ ଆଳତୀ ଅନୁଷ୍ଠିତ ହୋଇଛି । ଏହି ପବିତ୍ର ମାସରେ ମହାକାଳେଶ୍ବରଙ୍କ ଆରାଧନା କଲେ ଭକ୍ତଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହୁଏ ବୋଲି ବିଶ୍ବାସ ରହିଛି । ଆଜି ସକାଳୁ ମନ୍ଦିରର କବାଟ ଖୋଲିବା ପରେ ବାବା ମହାକାଳେଶ୍ବରଙ୍କ ଅଭିଷେକ କରାଯାଇଥିଲା । ପୂଜାରୀମାନେ ମହାକାଳଙ୍କ କୋଟି ତୀର୍ଥ କୁଣ୍ଡ ଉପରେ ଜଳାଭିଷେକ କରିଥିଲେ । ଏହି ସମୟରେ ହଜାର ହଜାର ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ମହାକାଳଙ୍କ ଦର୍ଶନ କରିଥିଲେ । ତେବେ ଆଜି ଅପରାହ୍ନ 4ଟା ବେଳେ ପ୍ରଜାମାନଙ୍କ ଦୁଃଖସୁଖ ବୁଝିବା ଲାଗି ବାବା ନଗର ଭ୍ରମଣରେ ବାହାରିବେ । ମନ୍ଦିର ପ୍ରଶାସନ ଦ୍ବାରା ୱେବସାଇଟ www.mahakaleshwar.nic.in ଓ ଫେସବୁକ ପେଜରେ ଭଗବାନଙ୍କ ଆରତୀଠାରୁ ଆରମ୍ଭ କରି ଦିନ ସାରା ଦର୍ଶନର ସିଧାପ୍ରସାରଣ ଦେଖିପାରିବେ ଭକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ