ସାବିତ୍ରୀଙ୍କୁ ପୂଜା କରି ପତିଙ୍କ ଦୀର୍ଘାୟୁ ମନାସିଲେ ପତ୍ନୀ - ସାବିତ୍ରୀ ଅମାବାସ୍ୟା
ନବରଙ୍ଗପୁର: ସାବିତ୍ରୀ ଅମାବାସ୍ୟା ଅବସରରେ ଚଳଚଞ୍ଚଳ ଗାଁଠୁ ନଗର। ଏହି ଅବସରରେ ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଗୁମ୍ମା ପଞ୍ଚାୟତର ବାଗନାଗୁଡ଼ା ଗ୍ରାମରେ ସଧବା ନାରୀ ପାଳିଲେ ସାବିତ୍ରୀ । ସ୍ବାମୀକୁ ସମସ୍ତ ବିପଦରୁ ରକ୍ଷା କରିବା ପାଇଁ ନାରୀମାନେ ଏହି ପୂଜା ଆର୍ଚ୍ଚନା କରିଥାନ୍ତି । ଜ୍ୟେଷ୍ଠ ଅମାବାସ୍ୟାରେ ବ୍ରାହ୍ମଣଙ୍କ ଦ୍ବାରା ଏହି ପୂଜାକର୍ମ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ସାବିତ୍ରୀଙ୍କୁ ପାଚିଲା ଆମ୍ବ, ପଣସ, ସପୁରି, ତାଳସଜ, ନଡ଼ିଆ, କଦଳୀ ପ୍ରଭୃତି ନାନା ଜାତିର ପକ୍ବଫଳ ଓ ଧୁଆମୁଗ ନୈବେଦ୍ୟ ରୂପେ ଅର୍ପଣ କରାଯାଇଥିଲା । ଦେବୀ ସାବିତ୍ରୀ, ଯମଦେବତା ଓ ସତ୍ୟବାନଙ୍କୁ ପୂଜା କରିଥିଲେ ବ୍ରତଧାରୀ । ତେବେ ପୁରାଣ କଥା ଅନୁସାରେ, ଯମରାଜା ଆସି ସତ୍ୟବାନଙ୍କ ପ୍ରାଣ ନେବା ସମୟରେ ସାବିତ୍ରୀ ନିଜ ବୁଦ୍ଧି ଓ ସତିତ୍ବ ବଳରେ ଯମରାଜଙ୍କଠାରୁ ନିଜ ସ୍ବାମୀଙ୍କ ପ୍ରାଣ ଫେରାଇ ଆଣିଥିଲେ । ତେଣୁ ଆଜିର ଦିନଟି ପ୍ରତି ସଧବାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।
ଇଟିଭି ଭାରତ, ନବରଙ୍ଗପୁର