Watch: ରାୟଗଡାରେ ଲଗାଣ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ - rayagada school closed news
ରାୟଗଡା: ଲଗାଣ ବର୍ଷାରେ ବେହାଲ ରାୟଗଡା ଜିଲ୍ଲା । ଗତ ସୋମବାର ଠାରୁ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ସ୍ଵଧା ଦେବ ସିଂ । ଗତ ୨୪ ଘଣ୍ଟାରେ ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ସର୍ବାଧିକ 72.2 ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କାଶୀପୁର 66.0 ମିମି, ଗୁଡାରି 58.6 ମିମି, ମୁନିଗୁଡା 55.2 ମିମି, ପଦ୍ମପୁର 44.1 ମିମି, କୋଲନରା 42.4 ମିମି, ରମାନାଗୁଡା ଏବଂ ଚନ୍ଦ୍ରପୁର 29.6 ମିମି ଏବଂ ରାୟଗଡା 25.4 ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି ।
ସେହିପରି ଜିଲ୍ଲାର କଲ୍ୟାଣସିଂହପୁର ଓ କାଶୀପୁର ବ୍ଲକ ଲଗାଣ ବର୍ଷା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜଳମଗ୍ନ ହୋଇଛି । ଏଥିସହ ଜିଲ୍ଲାର ଦୁଇ ନଦୀ ନାଗାବଳୀ ଏବଂ ବଂଶଧାରାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ଗୁଣୁପୁର ଠାରେ ବଂଶଧାରାର ଜଳସ୍ତର ବର୍ତ୍ତମାନ ସୁଦ୍ଧା 82 ମିଟରରେ ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜି(ଗୁରୁବାର) ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ଏହା ମଧ୍ୟ ପଢନ୍ତୁ:Holiday declared for schools: ପ୍ରବଳ ବର୍ଷା ପାଇଁ ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି
ଇଟିଭି ଭାରତ, ରାୟଗଡା