ଓଡିଶା

odisha

ରାଇରଙ୍ଗପୁରରେ ଘୋଷଯାତ୍ରା ପାଳିତ

ETV Bharat / videos

ରାଇରଙ୍ଗପୁରରେ ଘୋଷଯାତ୍ରା ପାଳିତ: ରଥାରୂଢ ଠାକୁରଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଟୁଡୁ - ରାଇରଙ୍ଗପୁର ରଥଯାତ୍ରା

By

Published : Jun 21, 2023, 7:07 AM IST


ରାଇରଙ୍ଗପୁର: ପବିତ୍ର ଘୋଷଯାତ୍ରା ଅବସରରେ ରାଇରଙ୍ଗପୁର ସହରରେ ମହାପ୍ରଭୁଙ୍କ ରଥଟଣା ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଛାଡି ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀମନ୍ଦିରରୁ ବାହାରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ନୀତିକାନ୍ତି ସହ ତିନି ଠାକୁର ଧାଡି ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ । ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ରାଇରଙ୍ଗପୁର ନଗରପାଳଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମାପନ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ଜମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବୀନ୍ଦ୍ର ଗୁପ୍ତା ରଥାରଢ଼ ଶ୍ରୀଜିଉଙ୍କ ଦର୍ଶନ ଲାଭ କରି ଜଗତର ମଙ୍ଗଳ କାମନା କରିଥିଲେ  । ଜନସମୁଦ୍ର ପାଲଟିଥିଲା ରାଇରଙ୍ଗପୁର ବଡଦାଣ୍ଡ  । 

ବର୍ଷକ ପରେ ପାଖରେ ମହାପ୍ରଭୁଙ୍କ ପାଇ ଭାବବିହ୍ବଳ ହୋଇଯାଇଥିଲେ ଭକ୍ତ  । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ନାଦରେ କମ୍ପି ଉଠିଥିଲା ଗଗନପବନ । ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ । ଭକ୍ତମାନେ ଭାବର ଠାକୁର ପ୍ରଭୁ ଜଗନ୍ନାଥଙ୍କ ସହ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଦର୍ଶନ କରି କୃତାର୍ଥ ହୋଇଥିଲେ । ଭାବ ଓ ଭକ୍ତି ସହକାରେ ନାଚି ନାଚି ପ୍ରଭୁଙ୍କ ରଥକୁ ଟାଣି ଟାଣି ମାଉସୀ ମା' ମନ୍ଦିର ଅଭିମୁଖେ ନେଇଥିଲେ । ତେବେ ମଙ୍ଗଳବାର ରଥଟଣା କାର୍ଯ୍ୟ ଅଧାରେ ରହିଥିଲା । ଆଜି ଦ୍ବିତୀୟ ଦିନରେ ମାଉସୀ ମା' ମନ୍ଦିରରେ ପହଞ୍ଚିବେ ଭାଇ-ଭଉଣୀ । ରଥଯାତ୍ରା ପାଇଁ ରାଇରଙ୍ଗପୁର ବଡ଼ଦାଣ୍ଡରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ କୌଣସି ଅଘଟଣ ନଘଟିବା ପାଇଁ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାଇରଙ୍ଗପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। 
 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details