Ratha Yatra 2023: ଧୁମଧାମରେ ରଥଯାତ୍ରା ପାଳିତ
ଯାଜପୁର: ଆଜି ହେଉଛି ପବିତ୍ର ରଥଯାତ୍ରା । ପୁରୀ ପରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚଳିତ ବର୍ଷ ଅତି ଧୁମଧାମର ସହିତ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଛତିଆ, ଗଡ଼ ମଧୁପୁର, ଯାଜପୁର, ବିଞ୍ଝାରପୁର, ଧର୍ମଶାଳା, ଦଶରଥପୁର, ରସୁଲପୁର, ଦାନଗଦି ବ୍ଲକ ସମେତ ବ୍ୟାସନଗର ଓ ଯାଜପୁର ଟାଉନ ପୌରପାଳିକାରେ ଧୁମଧାମର ସହିତ ରଥଯାତ୍ରା ଅନୁଷ୍ଠିତ ହୋଇଛି ।
ଆଜି ଏହି ଅବସରରେ ବ୍ୟାସନଗର ବ୍ୟାସ ସରୋବର ସ୍ଥିତ ଜଗନ୍ନାଥ ମନ୍ଦିରରେ ଧୁମଧାମର ସହିତ ରଥଯାତ୍ରା ଅନୁଷ୍ଠିତ ହେଇଯାଇଛି । ଆଜି ପ୍ରଥମେ ଜଗନ୍ନାଥ ମନ୍ଦିରର ବଡ଼ ପଣ୍ଡା ପୀତବାସ ପାତିଶର୍ମା ପ୍ରଭୁ ଜଗନ୍ନାଥଙ୍କୁ ଆବାହନ କରିବା ପରେ ମନ୍ଦିରର ଗଜପତି ଦିଲ୍ଲୀପ କୁମାର ରାଉତ ଛେରାପହଁରା କରିଥିଲେ । ଏହା ପରେ ହଜାର ହଜାର ଭକ୍ତ ଏହି ରଥଯାତ୍ରାରେ ଉପସ୍ଥିତ ରହି ମହାପ୍ରଭୁ ଜଗନ୍ନାଥଙ୍କୁ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଯାଜପୁର ରୋଡ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।
ଇଟିଭି ଭାରତ, ଯାଜପୁର