RathaKhala Halchal: ତିନି ରଥ ଅଖ କାର୍ଯ୍ୟ ନେଇ ପ୍ରସ୍ତୁତି ଆରମ୍ଭ - ତିନି ରଥ ଅଖ କାର୍ଯ୍ୟ
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏନେଇ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଏବେ ମହାପ୍ରଭୁଙ୍କ ରଥର ଚକ ଅଖ ସଂଯୋଗ ପରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ରଥଖଳାରେ ତିନି ରଥର ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ୪ଟି ଲେଖାଁଏ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତିନିରଥର ବାକି ଅଖ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ଅଖ କାଠ ୪୦ ଫୁଟିଆ ଧଉରା କାଠ ଯୋଗାଇ ଦିଆଯାଇଛି । ତାଳଧ୍ବଜ ରଥର ୯ମ ଚକ ନିର୍ମାଣ ଶେଷ ହୋଇ ଥିବା ବେଳେ ୧୦ମ ଏବଂ ୧୧ ତମ ଚକରେ ପଇ ପିନ୍ଧା ଶେଷ ହୋଇ ପଇ କଳଶା କାର୍ଯ୍ୟ ହେଅଛି । ଏଥି ସହ ତାଳଧ୍ବଜ ରଥର ୪ ଗୋଟି ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉ ୪ ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରି ରହଛି ।
ଦର୍ପଦଳନ ରଥର ୯ମ ଚକର ନିର୍ମାଣ ଶେଷ ହୋଇ ଆଉ ଦୁଇଟି ଚକରେ ପଇପିନ୍ଧା କାର୍ଯ୍ୟ ହୋଇଛି । ଏଥିସହ ୪ଟି ଚଉତା କାଠର ଚଉପଟ ଶେଷ ହୋଇ ଆଉ ୪ଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ୪ ଗୋଟି ଚକରେ ପଇ ପିନ୍ଧା ସରି କଳଶା କାର୍ଯ୍ୟ ବାକି ରହିଛି । ଏଥିସହ ନନ୍ଦିଘୋଷ ରଥର ୪ଟି ଚଉତା କାଠର ଚଉପଟ ପରେ ଆଉ ୪ ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରି ରହିଛି ।
ଦୋଳବେଦୀରେ ତାଳଧ୍ଵଜ ରଥର ପୋଲଗୟଳ ଚିରଟ ପୂର୍ବରୁ ୪୦ ଫୁଟିଆ ଧଉରା କାଠର ଉଭୟ ପାର୍ଶ୍ବଚିତା କାର୍ଯ୍ୟ କରତି ସେବକମାନେ ଶେଷ କରିଛନ୍ତି । ଏହାର ଚିରଟ କାର୍ଯ୍ୟ ଆରମ୍ଭ ହେବ । ଭୋଇ ସେବକମାନେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବର ତିନିରଥର ମୋଟ ୪୨ ଚକ ପାଇଁ ଅବଶ୍ୟ ୪୨ ଗୋଟି ତୁମ୍ବରୁ ୩୯ ଗୋଟି ତୂମ୍ବର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ପନ୍ଦାରି ନିର୍ମାଣ ପରେ ତିନିରଥ ପାଇଁ ୮" ଇଞ୍ଚିଆ ଅଗ ପାତେଳି କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ତିନିରଥର ରୂପକାର ସେବକମାନେ ତିନିରଥର ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି ।
ଇଟିଭି ଭାରତ, ପୁରୀ