ଓଡିଶା

odisha

ଘରୋଇ ହସ୍ପିଟାଲ ବିସ୍ଫୋରଣ ଟ୍ରାଜେଡି

ETV Bharat / videos

ଘରୋଇ ହସ୍ପିଟାଲ ବିସ୍ଫୋରଣ ଟ୍ରାଜେଡି: କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି - ହାଇଟେକ ହସ୍ପିଟାଲ ବିସ୍ଫୋରଣ

By ETV Bharat Odisha Team

Published : Jan 5, 2024, 1:38 PM IST

Action demand against hospital authority: ଖୋର୍ଦ୍ଧା:ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ମୃତଦେହ ପରିଚୟରେ ତ୍ରୁଟି ଯୋଗୁଁ 2ଟି ପରିବାର ଛାରଖାର ହୋଇଯାଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି । ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଏକ ଘରୋଇ ହସ୍ପିଟାଲ୍‌ରେ ଗତ ୨୯ ତାରିଖରେ ଘଟିଥିବା ବିସ୍ଫୋରଣରେ 4 ଜଣ ଆହତ ହୋଇଥିଲେ । ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗତ ୩୧ ତାରିଖରେ ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟଙ୍କୁ ମୃତ ଘୋଷଣା କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏପରିକି ସେହି ଅନୁସାରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହାପରେ ପରିବାର ଲୋକ ମୃତଦେହକୁ ସଂସ୍କାର କରିଥିଲେ । ଏସବୁ ଭିତରେ ମାତ୍ର ୨ ବର୍ଷ ତଳେ ବିବାହ କରିଥ‌ିବା ଦିଲ୍ଲୀପଙ୍କ ସ୍ତ୍ରୀ ସୌମ୍ୟାଶ୍ରୀ ଜେନା ସ୍ବାମୀଙ୍କ ମୃତ୍ୟୁକୁ ସହ୍ୟ କରି ନପାରି ଗତ ୧ ତାରିଖରେ ବାପଘରେ ନିଜ ଜୀବନ ହାରିଥିଲେ ।

ଏହାମଧ୍ୟ ପଢନ୍ତୁ... ମୃତଦେହ ହସ୍ତାନ୍ତରରେ ହସ୍ପିଟାଲର ସାଂଘାତିକ ତ୍ରୁଟି, ମୃତ ଘୋଷଣା ବ୍ୟକ୍ତି ଏବେ ଜୀବିତ

ଗୁରୁବାର ରାତିରେ ଦିଲ୍ଲୀପ ବଞ୍ଚିଥ‌ିବା ନେଇ ଖବର ଜଣାପଡ଼ିବା ପରେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଦୁଇ ପରିବାର ଏବେ ଛାରଖାର ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଝିଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସେପଟେ ପୁଅ ଦିଲ୍ଲୀପଙ୍କ ମୃତ୍ୟୁ ଖବର ପରେ ଜୀବିତ ନେଇ ଖବର ପାଇବା ପରେ ବୋହୂକୁ ହରାଇ ମାନସିକ ଦୁଶ୍ଚିନ୍ତା ଭରିଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ରୀତିନୀତି ଅନୁଯାୟୀ ଦୁହିଁଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ପରିବାର ପକ୍ଷରୁ କୁହାଯାଇଛି । 

ଜଟଣୀ ନୂଆଗାଁ ସ୍ଥିତ ଦିଲ୍ଲୀପଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମେଡିକାଲ କର୍ତ୍ତୃପକ୍ଷଙ୍କ ସାଂଘାତିକ ଅବହେଳାକୁ ଦାୟୀ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଦିଲ୍ଲୀପଙ୍କ ସୁରକ୍ଷାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇପଡିଛନ୍ତି । ତାଙ୍କୁ ସୁରକ୍ଷା ଯୋଗାଇବା ସହ ଦିଲ୍ଲୀପଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ  ପରିବାର ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details