ପଣ୍ଡିତ ରଘୁନାଥ ମୁର୍ମୁ ଓ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀଜୈଲ ସିଂହଙ୍କ ଜୟନ୍ତୀ, ସ୍ମୃତିଚାରଣ କଲେ ରାଷ୍ଟ୍ରପତି ମୁର୍ମୁ - ସ୍ମୃତିଚାରଣ କଲେ ରାଷ୍ଟ୍ରପତି ମୁର୍ମୁ
ରାଇରଙ୍ଗପୁର: ଅଲଚିକି ଲିପିର ସ୍ରଷ୍ଟା ତଥା ସାନ୍ତାଳୀ ସମ୍ପ୍ରଦାୟ ଭଗବାନ ଭାବେ ମାନୁଥିବା ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀଜୈଲ ସିଂହଙ୍କ ଜନ୍ମ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନରେ ମହାମହିମ ରାଷ୍ଟ୍ରପତି ରାଇରଙ୍ଗପୁରରୁ ଶିମିଳିପାଳ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ରାଇରଙ୍ଗପୁର ସହରର ପୁର୍ଣ୍ଣେଶ୍ବର ମହାଦେବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ ମଧ୍ୟ କରିଥିଲେ ।
ତେବେ ବ୍ୟସ୍ତତା ଭିତରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀଜୈଲ ସିଂହଙ୍କ ବିଷୟରେ ଭୁଲି ନଥିଲେ ରାଷ୍ଟ୍ରପତି ମୁର୍ମୁ । ସ୍ବର୍ଗତ ଜ୍ଞାନୀଜୈଲ ସିଂହ ଶିଖ୍ ସମ୍ପ୍ରଦାୟର ହୋଇଥିବା ବେଳେ ସେ ଭାରତର ସପ୍ତମ ରାଷ୍ଟ୍ରପତି ଥିଲେ । ଆଜି ତାଙ୍କର ଜନ୍ମ ଜୟନ୍ତୀରେ ସକାଳୁ ରାଷ୍ଟ୍ରପତି ମୁର୍ମୁ ନିଜ ଘରେ ଜ୍ଞାନୀଜୈଲ ସିଂହଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ସ୍ମୃତିଚାରଣ କରିଥିଲେ । ପରେ ଘରୁ ବାହାରି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିର ଦର୍ଶନ କରିଥିଲେ । ମନ୍ଦିର ଦର୍ଶନ ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନ ଦାଣ୍ଡବୋଷସ୍ଥିତ କପିଡୁଙ୍ଗୁରୀକୁ ଯାଇଥିଲେ । ଅଲଚିକି ଲିପିର ସ୍ରଷ୍ଟା ଏବଂ ସାନ୍ତାଳୀ ସମ୍ପ୍ରଦାୟର ଭଗବାନ ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଆଜି ୧୧୯ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ସମାଧି ପୀଠକୁ ଯାଇ ତାଙ୍କ ସେଠାରେ ତାଙ୍କ ସ୍ମୃତିଚାରଣ ସହ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ସେଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଭିମୱାର ମୁର୍ମୁ ଉପସ୍ଥିତ ଥିଲେ । ସେଠାରୁ ବାହାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାଣ୍ଡବୋଷ ଛକ ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ । ସେଠାରୁ ସେ ସ୍ଵତନ୍ତ୍ର ଗାଡ଼ିରେ ବସି ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ଶିମିଳିପାଳ ଅଭିମୁଖେ ଯାତ୍ରା କରିଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର