ଓଡିଶା

odisha

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

By

Published : Feb 10, 2023, 9:01 PM IST

Updated : Feb 14, 2023, 11:34 AM IST

ETV Bharat / videos

ଧନ ନୁହେଁ, ମନ ବଳ ଥିଲେ ଦୁନିଆ ଟଳମଳ କରିହେବ: ରାଷ୍ଟ୍ରପତି

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ରମାଦେବୀ କଲେଜରେ ନିଜ ଛାତ୍ରୀ ଜୀବନର ସ୍ମୃତିଚାରଣ ବେଳେ ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖି ନାରୀ ଶକ୍ତିର ଗୁରୁତ୍ବ ବର୍ଣ୍ଣନା କରିଥିଲେ ।

'ଧନ ନୁହେଁ, ମନ ବଳ ଥିଲେ ଦୁନିଆ ଟଳମଳ କରିହେବ': ଏହି ଅବସରରେ ରାଷ୍ଟ୍ରପତି କଲେଜର ଦୁଇ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ମନେ ପକାଇଥିଲେ । ସେମାନେ ହେଉଛନ୍ତି, ଅର୍ଥନୀତି ଅଧ୍ୟାପିକା ବୀଣାପାଣି ମହାନ୍ତି ଏବଂ ସାହିତ୍ୟ ଅଧ୍ୟାପିକା ଶକୁନ୍ତଳା ବଳିୟାରସିଂହ । ସେମାନଙ୍କ ଛାତ୍ରୀ ହୋଇଥିବାରୁ ନିଜକୁ ସୌଭାଗ୍ୟ ମଣିଥିଲେ । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ନାରୀଶକ୍ତିର ଗୁରୁତ୍ବ ବର୍ଣ୍ଣନା କରି କହିଥିଲେ, "ବର୍ତ୍ତମାନର ନାରୀଶକ୍ତି ସଶକ୍ତ ହେବାର ଆବଶ୍ୟକତା ରହିଛି । ସେମାନଙ୍କ ପାଖରେ ସାମର୍ଥ୍ୟର ଅଭାବ ନାହିଁ । କେବଳ ପ୍ରଚେଷ୍ଟା ଦରକାର । ଜୀବନ ବିଶ୍ବବିଦ୍ୟାଳୟରେ ସଫଳ ହେବାକୁ ହେଲେ ନିଜ ଉପରେ ଆସ୍ଥା ରଖିବାକୁ ପଡ଼ିବ । ଟେକ୍ନୋଲୋଜିର ସହାୟତାରେ ବିକାଶ ଆଣିବାକୁ ହେବ । ଭାରତକୁ ଶୀର୍ଷରେ ପହଞ୍ଚାଇବାର ଦାୟିତ୍ବ ଯୁବଶକ୍ତିର । ୨୦୪୭ ବେଳକୁ ଭାରତ ହେବ ବିଶ୍ବର ବୈଭବଶାଳୀ ଦେଶ । ଧନ ନୁହେଁ, ମନର ବଳ ଥିଲେ ଦୁନିଆ ଟଳମଳ କରିହେବ । ଏଠୁ ଗଲେ ଝିଅମାନେ ଜୀବନ ବିଶ୍ବବିଦ୍ୟାଳୟର ଛାତ୍ରୀ ହେବେ । ସାମର୍ଥ୍ୟର କସ୍ତୁରୀ ତୁମ ଭିତରେ ଅଛି । ଚେଷ୍ଟା କର । ନିଜ ଉପରେ ଆସ୍ଥା ରଖିଲେ ଜୀବନ ଯାତ୍ରାରେ ସଫଳତା ମିଳିବ । ଆମକୁ ପ୍ରୟାସ କରିବାକୁ ହେବ, ତ୍ୟାଗ କରିବାକୁ ହେବ । ସବୁକଥା ସରକାରଙ୍କ ଉପରେ ଛାଡ଼ିଦେଲେ ହେବନି ।"

'ନାରୀ-ପୁରୁଷର ସମକକ୍ଷତା ଆଉ ବିତର୍କର ବିଷୟ ନୁହେଁ': ଭାରତକୁ ବିଶ୍ବଗୁରୁ କରିବାକୁ ନାରୀକୁ ସଶକ୍ତ ହେବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଥିଲେ । ୧୧୫ ଜଣ ମହିଳା ସାଂସଦ ହେବା ଗଣତନ୍ତ୍ର ପାଇଁ ଶୁଭଙ୍କର ଓ ସିଭିଲ ସର୍ଭିସରେ ଝିଅମାନେ ଟପ୍ପର ହେବା ଗର୍ବର ବିଷୟ ବୋଲି କହିଥିଲେ । ଅଭିଭାଷଣରେ ଶ୍ରାବଣୀ ନନ୍ଦ ଓ ଭାଲେନା ଭାଲେନ୍ତିନାଙ୍କ ନାଁ ନେଲେ ରାଷ୍ଟ୍ରପତି । ଅଲିମ୍ପିକରୁ ମଙ୍ଗଳ ମିଶନ ଯାଏଁ ମହିଳାଙ୍କ ଉତ୍କର୍ଷ ରହିଛି । ନାରୀ-ପୁରୁଷର ସମକକ୍ଷତା ଆଉ ବିତର୍କର ବିଷୟ ନୁହେଁ ବୋଲି ସେ କହିଛନ୍ତି । ସବୁ କ୍ଷେତ୍ରରେ ନାରୀମାନଙ୍କ ପରାକାଷ୍ଠା ପ୍ରମାଣିତ । ରମାଦେବୀର ଛାତ୍ରୀ ଭାବେ ମୁଁ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି । ନିଜ ସମୟର ଅଧ୍ୟାପିକାମାନଙ୍କର ପ୍ରେରଣା ମନେପକାଇଲେ । ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 14, 2023, 11:34 AM IST

ABOUT THE AUTHOR

...view details