ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଗଲା ଲାଇନ୍, ପ୍ରଶ୍ନର ଉତ୍ତର ନଦେଇ ଚାଲିଗଲେ ମନ୍ତ୍ରୀ
ବାଲେଶ୍ବର: ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜ୍ୟରେ ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ହନ୍ତସନ୍ତ ରାଜ୍ୟବାସୀ । ଏନେଇ ବିରୋଧୀ ରାଜ୍ୟ ସରକାର ଓ ଶକ୍ତି ବିଭାଗକୁ ବାରମ୍ବାର ଟାର୍ଗେଟ କରୁଥିବା ବେଳେ ରାଜ୍ୟରେ ପାୱାର କଟ୍ ହେଉନି ବୋଲି ବାରମ୍ବାର ସଫେଇ ଦେଉଛନ୍ତି ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ହେଲେ ନଜେ ମନ୍ତ୍ରୀ ଆଜି ହଟହଟା ହୋଇଛନ୍ତି, ଯେତେବେଳେ ତାଙ୍କରି ସଭାରେ ଚାଲିଗଲା ଲାଇନ୍ । ଯାହାକୁ ନେଇ ପ୍ରଶ୍ନ ପଚାରିବାରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ମନ୍ତ୍ରୀ ।
ସୂଚନା ଅନୁସାରେ, ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ଚାଲିଥିବା ବିଶ୍ବଶାନ୍ତି ମହାଯଜ୍ଞ ଓ ଶୋକସଭାରେ ଯୋଗ ଦେଇଥିଲେ ମନ୍ତ୍ରୀ ପ୍ରତାପ ଦେବ । ଶୋକସଭାରେ ମନ୍ତ୍ରୀ ନିଜର ଅଭିଭାଷଣ ରଖୁଥିବା ବେଳେ ହଠାତ କଟିଗଲା ଲାଇନ୍ । ସେଠାରେ ଉପସ୍ଥିତ ସାଧାରଣ ଲୋକେ ଏହାକୁ ନେଇ ହଠାତ ପ୍ରତିକ୍ରିୟାଶୀଳ ହୋଇଥିଲେ । ମାତ୍ର ମନ୍ତ୍ରୀ ଏହାକୁ ନେଇ କିଛି ଉତ୍ତର ଦେଇ ନଥିଲେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଇଟିଭି ଭାରତ, ବାଲେଶ୍ବର