ଶୀତ ସନ୍ଧ୍ୟାରେ ଅଗ୍ନି ଜାଳି ଉଷୁମ ତାତି ସହ ସମୁହ ଭାବ ବିନିମୟ କଥା କବିତାର କକଟେଲ
Published : Dec 31, 2023, 10:36 PM IST
Poetry Pocktails: ଭଦ୍ରକ:ସାରା ରାଜ୍ୟରେ ସମ୍ପ୍ରତି ଜାରି ରହିଛି ଶୀତର ଲହରୀ । 2023 ମସିହା ଡିସେମ୍ବର ମାସର ଶେଷ ପାହାଚରେ ପହଞ୍ଚିଛି ପୃଥିବୀ । ଏହାରି ଭିତରେ ଶୀତୁଆ ସନ୍ଧ୍ୟାରେ ଅଗ୍ନି ଜାଳି ଉଷୁମ ତାତି ସହ ସମୁହ ଭାବ ବିନିମୟ କଥା କବିତାର କକଟେଲ । ମନରେ ଖେଳି ଉଠୁଛି ଆଗନ୍ତୁକ ସମୟର ନବ ଉନ୍ମାଦ । ଶୀତ ସଞ୍ଜରେ ସମୁହ ଭାବେ ନିଆଁ ପୁଇଁବା ଏବଂ ଓଁକାର ଉଚ୍ଚାରଣ ମାଧ୍ୟମରେ ସୃଜନ ଶକ୍ତିକୁ ଉଜ୍ଜୀବିତ କରିବା ଭାରତୀୟ ଆଧ୍ଯାତ୍ମିକ ଦର୍ଶନର ଅଂଶ ବିଶେଷ । ଏଣୁ ନିଆଁର ବିକିରଣ ପ୍ରକ୍ରିୟାରେ ଜୀବନ ଏବଂ ସୃଜନ ଉଜ୍ଜ୍ୱଳ ହୋଇ ଉଠେ ବୋଲି, ଭଦ୍ରକ ଜିଲ୍ଲା ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ କାଳୀ ପଡିଆ ଠାରେ ସନ୍ଧ୍ୟା ସମୟରେ ଅନୁଷ୍ଠିତ "ଶୀତସଂଜ ଉଷୁମ ତାତି ଓ କଥା-କବିତାର କକଟେଲ୍" ଶୀର୍ଷକ ସୃଜନ ପର୍ବରେ ମତ ପ୍ରକାଶ ପାଇଛି ।
ତିହିଡି ବ୍ଲକର ଅଗ୍ରଣୀ ସାହିତ୍ୟ ସଂଗଠନ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚର ଉପଦେଷ୍ଟା ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ବିଶ୍ବରଂଜନ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ମୁକ୍ତାକାଶ ଶୀତୁଆ ସାରସ୍ବତ ସମାବେଶରେ ସାହିତ୍ୟିକ ବିଭୂତି ଭୂଷଣ ସେନାପତି ଏବଂ କବି ପି. ହୃଷିକେଶ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନିଆଁର ଆବାହନରେ କଥା ସହ କବିତାର ମାନ୍ତ୍ରିକ ଶକ୍ତି ରହିଛି ବୋଲି ମତ ପ୍ରକାଶ କରିଥିଲେ । କବିୟିତ୍ରୀ ବିଶ୍ବମୈତ୍ରୀ ନାୟକ ଅଗ୍ନିମନ୍ତ୍ର ଉଚ୍ଚାରଣ କରିଥିଲେ । ଯୁବ କବି ନିରଞ୍ଜନ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆବାହକ ଗାଳ୍ପିକ କୈଳାସ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସମୁହ ଭାବେ ଓଁକାର ମନ୍ତ୍ର ଧ୍ବନି ଉଚ୍ଚାରଣ ପୂର୍ବକ ଅଗ୍ନି ନିର୍ବାପନ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ....ଦର୍ଶକଙ୍କ ମନ ମୋହିଲା ବ୍ୟଙ୍ଗ କବିଙ୍କ କବିତା ଆସର
ଇଟିଭି ଭାରତ, ଭଦ୍ରକ