ମରଣଯନ୍ତା ପାଲଟିଛି ଖାରବେଳନଗର ମୁଖ୍ୟ ରାସ୍ତା, କଲଭର୍ଟ ଭାଙ୍ଗି ଆଁ କରି ରହିଛି - ରାସ୍ତା ପାଲଟିଛି ମରଣାଯନ୍ତା
ବ୍ରହ୍ମପୁର: ରାସ୍ତା ପାଲଟିଛି ମରଣାଯନ୍ତା । ବଡ଼ବଡ଼ ଖାଲଖମାରେ ଭର୍ତ୍ତି ଏହି ରାସ୍ତା । ଏ କୌଣସି ଉପାନ୍ତ କିମ୍ବା ଗ୍ରାମାଞ୍ଚଳ ନୁହେଁ ବ୍ରହ୍ମପୁର ମହାନଗର ନିଗମର ରାସ୍ତା । ବ୍ରହ୍ମପୁର ସହର ହେଉ କିମ୍ବା ଉପକଣ୍ଠରେ ରହିଥିବା ବିଭିନ୍ନ ସହରତଳି ଅଞ୍ଚଳ, ଅନେକ ପ୍ରମୁଖ ସ୍ଥାନ ଖାଲ ଖମାରରେ ପରିପୂର୍ଣ୍ଣ ରହିଛି ।
ଖାରବେଳନଗରର ମୁଖ୍ୟ ରାସ୍ତାରେ ରହିଥିବା ଏକ କଲଭର୍ଟ ଭାଙ୍ଗି ଆଁ କରି ରହିଛି । ଲୋକେ ଯାତାୟତ କରୁଥିବା ସମନୟରେ ଅନେକ ଦୁର୍ଘଟଣାରେ ଶିକାର ହେଉଛନ୍ତି । କଲଭର୍ଟ ଉପରେ ମଣିଷ ଗଳିପଡିବା ଭଳି ଚାରି ପୁଟ ଓସାର ଏବଂ ଦୁଇ ଲମ୍ୱାରେ ଏବା ଫାଟି ଆଁ କରି ରହିଥିବା ବେଳେ ସେଥିମଧ୍ୟରୁ ଲୁହା ରର୍ଡ ମଧ୍ୟ ବାହାରକୁ ବାହାରି ରହିଛି । ସଚେତନ ନହେଲେ କୌଣସି ବଡ଼ ଅଘଟଣ ମଧ୍ୟ ଘଟିପାରେ । ହେଲେ କୌଣସି ରାଜନେତା କିମ୍ବା ପ୍ରଶାସନର ଏଥିପ୍ରତି ନିଘା ନାହିଁ । ଗତ ୫ ରୁ ୬ ମାସ ଧରି ଖାରବେଳେନଗର ମୁଖ୍ୟ ରାସ୍ତାର କଲଭର୍ଡଟି ମରଣଯନ୍ତା ଭାବରେ ପଡି ରହିଥିବା ବେଳେ ଏହାକୁ ଖୋଲା ଛାଡି ଦିଆଯାଇଛି ।
ସ୍ଥାନୀୟ ଅଞ୍ଚଳର ଲୋକେ ରାସ୍ତା ସମସ୍ୟା ନେଇ କୁକୁଡାଖଣ୍ଡି ବିଡିଓଙ୍କ ଠାରୁ ଆରମ୍ଭ କରି ବିଡିଏ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲିଖିତ ଭାବରେ ଅବଗତ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ଦାବି କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର