Train Accident: ଅନେକ ଟ୍ରେନ୍ ବାତିଲ, ପୁରୀରେ ପର୍ଯ୍ୟଟକ ହନ୍ତସନ୍ତ - ବାଲେଶ୍ଵରରେ ଟ୍ରେନ ଦୁର୍ଘଟଣା
ପୁରୀ: ବାଲେଶ୍ଵରରେ ଟ୍ରେନ ଦୁର୍ଘଟଣା ପରେ ଟ୍ରେନ ଯାତାୟତରେ ବାଧା ଉପୁଜିଛି । ବିଶେଷ କରି କୋଲକାତା ରୁଟରେ ଦୁର୍ଘଟଣା ଯୋଗୁଁ ରେଳ ଚଳାଚଳ ସ୍ବାଭାବିକ ହୋଇପାରିନାହିଁ । ଫଳରେ ପୁରୀରୁ ଯିବାକୁ ଥିବା ରେଳ ଯାତ୍ରୀଙ୍କ ଯାତାୟତ ଉପରେ ପ୍ରଭାବ ପଡିଛି । ଖଡ଼ଗପୁର ରୁଟର ୪ଟି ଟ୍ରେନ ବାତିଲ ପରେ ଟ୍ରେନ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅନେକ ପର୍ଯ୍ୟଟକ ପୁରୀ ରେଳ ଷ୍ଟେସନରେ ବସି ରହିଛନ୍ତି । ଅନେକ ଜରୁରୀ କାର୍ଯ୍ୟରେ ଲୋକଙ୍କୁ କୋଲକାତା ଯିବାର ଥିବାବେଳେ, ଟ୍ରେନ ବାତିଲ ଯୋଗୁଁ ଯାତ୍ରୀମାନେ ହାଇରାଣ ହେଉଛନ୍ତି ।
ତେବେ ଯାତ୍ରୀଙ୍କ ସୁବିଧା ପାଇଁ ପୁରୀ ରେଳ ଷ୍ଟେସନରେ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା ହୋଇଛି । ତେବେ ଖୁବ୍ଶୀଘ୍ର ରେଳ ଚଳାଚଳ ସ୍ବାଭାବିକ ହେଲେ ଲୋକମାନେ ନିଜ ଗନ୍ତବ୍ୟ ପଥରେ ଯାଇ ପାରିବେ ବୋଲି ପୁରୀ ଷ୍ଟେସନ୍ ମ୍ୟାନେଜର କହିଛନ୍ତି । ସେପଟେ କୋଲକାତା ଯିବାକୁ ଥିବା ଯାତ୍ରୀମାନେ ଅଲଗା ରୁଟରେ ଯାଉଥିବା ଟ୍ରେନ୍ରେ ଯିବାକୁ ନେଇ ମଧ୍ୟ ସୂଚନା ଦିଆଯାଉଥିବା ପୁରୀ ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି । ଧଉଳି, ବନ୍ଦେ ଭାରତ, ଚେନ୍ନାଇ ସ୍ପେଶଲ୍, ପୁରୀ ଜଳେଶ୍ବର ଟ୍ରେନ ବାତିଲ ହୋଇଛି । ସେପଟେ କିଛି ଯାତ୍ରୀ ପୁରୀରୁ ବସ ଯୋଗେ କୋଲକାତା ଯାଉଛନ୍ତି । ତେବେ ଏଭଳି ସମୟରେ ଅନେକ ବସ ପକ୍ଷରୁ ଅଧିକା ଭଡ଼ା ନିଆଯାଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଇଟିଭି ଭାରତ, ପୁରୀ