ଜଙ୍ଗଲ ପର୍ଯ୍ୟଟନର ବିକାଶ ପାଇଁ ପ୍ରୟାସ, ପଞ୍ଚବଟୀ ଉଦ୍ୟାନରେ ସବୁଜିମା ଶୋଭାରାଜି - ପଞ୍ଚବଟୀ ଉଦ୍ୟାନ କରିଛି ବନ ବିଭାଗ
ସୋନପୁର: ଜଙ୍ଗଲ ପର୍ଯ୍ୟଟନର ବିକାଶ ପାଇଁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଅର୍ଜୁନପୁର ଜଙ୍ଗଲରେ ପ୍ରାୟ ସାଢେ 21 ହେକ୍ଟର ପରିମିତ ଜମିରେ ପଞ୍ଚବଟୀ ଉଦ୍ୟାନ ସୃ୍ଷ୍ଟି କରାଯାଇଛି । ଯେଉଁଠାରେ ପଣସ ,ଆମ୍ବ, କାଜୁ, ଜାମୁ, ଡିମିରି ଆଦି ଫଳ ଚାରା ଲଗାଯାଇଥିବା ବେଳେ ନିମ୍ବ, ମୁଚୁକୁଣ୍ଡ, ଅର୍ଜୁନ ଆଦି ଚାରା ରୋପଣ କରାଯାଇଛି । ସେହିପରି ପରିବେଶ ସୁରକ୍ଷା ପାଇଁ ବରଗଛ ,କରଞ୍ଚ ,ଅଶୋକ, ରିଠା ଆଦି 26 ପ୍ରକାରର ଗଛ ଲଗାଯାଇଛି । ଶିଶୁ ମାନଙ୍କ ମନୋରଞ୍ଜନ ପାଇଁ ହାତୀ, ହରିଣ, ବଗ, କୁମ୍ଭୀର, ଠେକୁଆ, ମୟୂର ଆଦି ସିମେଣ୍ଟ ତିଆରି ମୂର୍ତ୍ତି ସବୁ ତିଆରି କରାଯାଇଛି । ରାମ ଲକ୍ଷ୍ମଣ, ଗୌତମ ବୁଦ୍ଧ, ସାଇ ପ୍ରତିମା, ହନୁମାନ ଆଦି ମୂର୍ତ୍ତି ମଧ୍ୟ ତିଆରି କରାଯାଇଛି । ଏକ ନୂତନ ପୁଷ୍କରିଣୀ ବି ଖୋଳା ଯାଇଛି । ପ୍ରାକୃତିକ ଶୋଭାରାଜିରେ ଭରପୁର ଅର୍ଜୁନପୁର ଜଙ୍ଗଲର ଏକ ଛୋଟିଆ ଅଞ୍ଚଳରେ ଏହି ବିକାଶ କାର୍ଯ୍ୟ ଜାରି ରହିଛି । ତେବେ ବିଭିନ୍ନ ପ୍ରକାରର ଫୁଲଗଛ ଲଗାଇବା ସହିତ ଆଲୋକ ବ୍ୟବସ୍ଥା, ପୁଷ୍କରିଣୀରେ ହଂସ, ବତକ, ମାଛ ଛାଡିବା, ଶିଶୁଙ୍କ ପାଇଁ ବିଭିନ୍ନ ଖେଳସାମଗ୍ରୀ, ଟ୍ରାକିଂ ରୋଡ୍ ଆଦି କାର୍ଯ୍ୟ ଜାରି ରହିଥିବା ସଦର ରେଞ୍ଜର କହିଛନ୍ତି । 2020-21 ଆର୍ଥିକ ବର୍ଷରେ ମାତ୍ର 90 ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ଉଦ୍ୟାନ । ପ୍ରାୟ 20 ହଜାରରୁ ଅଧିକ ଚାରା ଏଠାରେ ରୋପଣ କରାଯାଇଛି ।
ଇଟିଭି ଭାରତ, ସୋନପୁର