ଉତ୍ତରକାଶୀରେ ପରିତ୍ୟକ୍ତ ଜଗନ୍ନାଥ ମନ୍ଦିର, ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଲେ ସବ୍ୟସାଚୀ - ଅଭିନେତା ସବ୍ୟସାଚୀ ମିଶ୍ର
ଭୁବନେଶ୍ବର: ପୁନରୁଦ୍ଧାର ହେବ ଉତ୍ତରାଖଣ୍ଡର ଉତ୍ତରକାଶୀରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଜଗନ୍ନାଥ ମନ୍ଦିର । ଅପୂଜା କାଳିଆ ଠାକୁର ପୂଜା ପାଇବେ । ପବିତ୍ର ବାହୁଡା ଯାତ୍ରାରେ ପୁନରୁଦ୍ଧାର କାର୍ଯ୍ୟ ସଂପାଦନ କରିବା ସହ ମନ୍ଦିରରେ ପୂଜା ଆରମ୍ଭ କରିବେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । କାରଣ ଦ୍ଵାଦଶ ଶତାବ୍ଦୀର ଏହି ମନ୍ଦିର ସଂରକ୍ଷଣ ଅଭାବରୁ ବନ୍ଦ ପଡିଛି । କାଶୀ ବିଶ୍ବନାଥ ମନ୍ଦିରଠାରୁ ମାତ୍ର କିଛି ଦୂରରେ ଏହି ମନ୍ଦିର ଥିବା ବେଳେ କାହିଁ କେତେଦିନରୁ ମନ୍ଦିର ବନ୍ଦ ପଡ଼ିଥିବାରୁ ଉପାସରେ ଅଛନ୍ତି ଜଗତର ଜଗନ୍ନାଥ । ଏହି ଖବର ଜଣେ ଓଡ଼ିଆ ଓ ଜଗନ୍ନାଥ ଭକ୍ତ ହିସାବରେ ମୋତେ ବହୁତ କଷ୍ଟ ଦେଇଛି ବୋଲି କହିଛନ୍ତି ସବ୍ୟସାଚୀ । ଏହି ଖବର ପୁରୀର ଜଣେ ମୁଖ୍ୟ ସେବାୟତଙ୍କ ଠାରୁ ପାଇବା ପରେ ଉଦ୍ବେଗ ପ୍ରକାଶ କରିବା ସହ ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାୟିତ୍ବ ନିଜ ହାତକୁ ନେବେ ବୋଲି କହିଛନ୍ତି । ଏଥିପାଇଁ ସେ ଉତ୍ତରାଖଣ୍ଡରେ ଥିବା ସବୁ ଓଡ଼ିଆଙ୍କୁ ଏହି ପବିତ୍ର କାମରେ ସହଭାଗିତା ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆହ୍ବାନ ମଧ୍ୟ କରିଛନ୍ତି ।
ସବ୍ୟସାଚୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ମନ୍ଦିରର ଭିଡିଓ ଦେଖାଇବା ସହ କହିଛନ୍ତି, "ଏତେ ସୁନ୍ଦର ଓ ଦ୍ଵାଦଶ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠିତ ଏତେ ପୁରାତନ ମନ୍ଦିର, ଧାର୍ମିକ ପୀଠ ଉତ୍ତରାଖଣ୍ଡ ଉତ୍ତରକାଶୀରେ ଥାଇ ମଧ୍ୟ ଭକ୍ତ ଅବଗତ ନାହାନ୍ତି ବୋଲି ଆମ ମହାପ୍ରଭୁଙ୍କ ପୂଜା ହୋଇ ପାରୁନାହିଁ । ଏପରିକି ପ୍ରତିଦିନ ଭୋଗ ଲାଗି ପାରୁନାହିଁ । ବର୍ଷ ବର୍ଷ ଧରି ରଥଯାତ୍ରା ମଧ୍ୟ ହେଇ ପାରୁନାହିଁ । ଆମ ଭକ୍ତ ରଙ୍କୁଣା କାଳିଆ ଠାକୁର ସେଠି ଏକା ଚାହିଁ ରହିଛନ୍ତି ଭକ୍ତଙ୍କ ବାଟକୁ । ୟା ଠାରୁ ଦୁଃଖଦ କଥା ଆଉ କଣ ହେଇପାରେ ? ତେଣୁ ମୁଁ ଜଣେ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀ ଭାବରେ ଏକ ପଦକ୍ଷେପ ନେବାକୁ ଇଚ୍ଛା କରିଛି । ଯଥାଶୀଘ୍ର ଉତ୍ତରାଖଣ୍ଡ ଯାଇ ବାହୁଡ଼ା ଯାତ୍ରା ଦିନ ମନ୍ଦିରର ପୁନରୁଦ୍ଧାର ପାଇଁ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଆଗାମୀ ଛଅ ମାସ ପାଇଁ ମନ୍ଦିରରେ ଭୋଗ ଓ ପୂଜାର ଆବଶ୍ୟକ ଖର୍ଚ୍ଚ ନିଜେ ବହନ କରି ଏକ ଚିରସ୍ଥାୟୀ ବ୍ୟବସ୍ଥା ତିଆରି କରିବାକୁ ଚେଷ୍ଟା କରିବି ।"
ସେ ଆହୁରି କହିଛନ୍ତି, "ବର୍ଷକ ୩୬୫ ଦିନ, ଯଦି ଆମ ଜଗନ୍ନାଥଙ୍କ ମନ୍ଦିର ପାଇଁ ୩୬୫ ଭକ୍ତ ଆଗକୁ ଆସିଯିବେ, ବିଶ୍ଵର କୌଣସି ମନ୍ଦିରରେ ପ୍ରଭୁଙ୍କ ନୀତି ଅଟକିବ ନାହିଁ । ଆମେ କଣ ଏତିକି ପାରିବନି ? ଆସନ୍ତୁ ଏହି ମନ୍ଦିରରୁ ଆମ ଏଇ ପ୍ରତିଜ୍ଞା ଆରମ୍ଭ କରିବା । ଯଦି ଆପଣଙ୍କ ପାଖାପାଖି କୌଣସି ମନ୍ଦିରରେ ପ୍ରଭୁ ପୂଜା ପାଉନାହାନ୍ତି, ତେବେ ନିଶ୍ଚୟ ଜଣାଇବେ । ଆମ ଚେଷ୍ଟା ତାଙ୍କ ପରୀକ୍ଷା । ସଫଳ ନହେବା ଯାଏଁ ଚେଷ୍ଟା ଜାରି ରଖିବା ।" ଉତ୍ତରାଖଣ୍ଡ ଉତ୍ତରକାଶୀରେ ଥିବା ସବୁ ଓଡ଼ିଆ ଭାଇଭଉଣୀଙ୍କୁ ନିଶ୍ଚୟ ଜଣାଇବେ, ନିମନ୍ତ୍ରଣ ରହିଲା ବୋଲି କହିଛନ୍ତି ସବ୍ୟସାଚୀ । ଆଉ ସେଠାରେ ମନ୍ଦିର କେଉଁ ଅବସ୍ଥାରେ ରହିଛି ସେଠାକାର ସ୍ଥାନୀୟ ବାସିନ୍ଦାଙ୍କର ବାର୍ତ୍ତା ମଧ୍ୟ ଶୁଣାଇଛନ୍ତି ସବ୍ୟସାଚୀ । ତେଣୁ ଟଙ୍କା କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ ଓଡ଼ିଆଙ୍କ ପ୍ରାଣ ବିଶ୍ବ ନିଅନ୍ତାଙ୍କ ପୂଜା ବନ୍ଦ ସମସ୍ୟା ଦୂର ପାଇଁ ସେ ଏହି ପ୍ରୟାସ କରିଥିବା ବେଳେ ପ୍ରତିଟି ଓଡ଼ିଆ ଏହି କାର୍ଯ୍ୟରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର