ମନୋଜ ମିଶ୍ର ବାସନ୍ଦ ଘଟଣା, ନରସିଂହ ମିଶ୍ର ଭାଇ କଳିରେ ଘିଅ ଢାଳନ୍ତୁନି କହିଲେ କୁନା ତ୍ରିପାଠୀ
Published : Oct 28, 2023, 4:21 PM IST
କଟକ: ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ବ୍ୟାନକୁ ନେଇ ଥମୁନି ବିବାଦ। ସିନେ କାର୍ଯ୍ୟକର୍ତ୍ତା ଏବଂ ରାଜନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ତେବେ ମନୋଜଙ୍କ ସପକ୍ଷରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସ୍ବର ଉଠାଇଛନ୍ତି। ପାତର ଅନ୍ତର ନୀତି ବନ୍ଦ ନକଲେ ଆଗକୁ ଦରକାର ପଡ଼ିଲେ ଓଡ଼ିଶା ଦୁଇ ଭାଗ ହେବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ। ତେବେ ନରସିଂହ ମିଶ୍ରଙ୍କ ଏଭଳି ମନ୍ତବ୍ୟ ପରେ ଆଜି ମୁହଁ ଖୋଲିଛନ୍ତି ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ।
ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ବ୍ୟାନ କରିବା କୌଣସି କଥାର ସମାଧାନ ନୁହେଁ। ଏହା ଏକ ପରିବାରିକ ମାମଲା। ପରସ୍ପର ଭିତରେ ଆଲୋଚନା ମାଧମରେ ଏହାର ସମାଧାନ ହେବ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଆଲୋଚନା ହେବ। ଆମ ଘର କଥାରେ ବାହାର ଲୋକ ଘିଅ ଢାଳିବା ଉଚିତ ନୁହେଁ। ମୁଁ ଉଭୟ ପକ୍ଷକୁ କହୁଛି, ଆସ କଥା ହୋଇ ସମାଧାନ କରିବା ।"
ଏହା ମଧ୍ୟ ପଢନ୍ତୁ: Ban on actor Manoj Mishra: ଓଲିଉଡ଼ ବିବାଦକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କଲେ ଟୁଟୁ ନାୟକ
ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟାକୁ ନେଇ କୁନା ତ୍ରିପାଠୀ କହିଲେ, "ନରସିଂହଙ୍କ ଭଳି ଜଣେ ଅଭିଜ୍ଞ ଲୋକଙ୍କଠାରୁ ଏକଥା ଆଶା କରାଯାଇନଥିଲା। ଏଭଳି ଏକ ଛୋଟିଆ କଥାରେ କେବେ ରାଜ୍ୟ ଭାଗ ହୁଏ ନାହିଁ। ନରସିଂହ ମିଶ୍ରଙ୍କ ଭଳି ଜଣେ ବ୍ୟକ୍ତି ଏଭଳି କହିବା ମୋତେ କଷ୍ଟ ଦେଇଛି। ସେ ଜଣେ ଆଇନ ବିଷାରଦ। ତାଙ୍କର ଏଭଳି ମନ୍ତବ୍ୟ କଷ୍ଟ ଦାୟକ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ