'ଓଡ଼ିଶାରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ' - ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ
ପୁରୀ:ଆମ ରାଜ୍ୟ ଓଡ଼ିଶାକୁ ଆଜି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଥିବା ବେଳେ ଖୁବଶୀଘ୍ର ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ ବୋଲି ସଙ୍କେତ ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀ-ଭୁବନେଶ୍ବର-କଟକ ସହିତ ରାଉରକେଲା-ସମ୍ବଲପୁର-ଝାରସୁଗୁଡ଼ା-ଅନୁଗୋଳ-ତାଳଚେରକୁ ଯୋଡ଼ିବ ବୋଲି ସେ କହିଛନ୍ତି । ତେବେ ଏହି ପ୍ରସ୍ତାବ ନେଇ ସେ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଯିବେ ବୋଲି ଆଜି ନିଜ ଅଭିଭାଷଣ ରଖିବା ବେଳେ କହିଛନ୍ତି ଅଶ୍ବିନୀ । ଏହାସହିତ ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଭାରତ ସମେତ ଓଡ଼ିଶାରେ ମଧ୍ୟ ବନ୍ଦେ ମେଟ୍ରୋର ଶୁଭାରମ୍ଭ ହେବାକୁ ପ୍ରୟାସ ଜାରି ରହିଛି । ଏହି କିପରି ଠିକ ସମୟରେ ସଫଳ ହେବ ସେ ନେଇ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ବୋଲି କହିଛନ୍ତି ଅଶ୍ବିନୀ । ସୂଚନା ଥାଉ କି ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଭର୍ଚ୍ଚୁଆଲ ମାଧ୍ୟମରେ ସବୁଜ ପତାକା ଉଡ଼ାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ବୁଲେଟ ଟ୍ରେନ ପୁରୀରୁ ପଶ୍ଚିମବଙ୍ଗର ହାୱଡା ପର୍ଯ୍ୟନ୍ତ ଯାତ୍ରା କରିବ । ଫଳରେ ମାତ୍ର ୬ ଘଣ୍ଟା ମଧ୍ୟରେ ୫୦୦କିମିର ଯାତ୍ରା କରିପାରିବେ ଯାତ୍ରୀ ।
ଇଟିଭି ଭାରତ, ପୁରୀ