Utkal Utsav: ଆମେରିକାରେ ପାଳନ ହେଲା ଉତ୍କଳ ଉତ୍ସବ
ଫ୍ଲୋରିଡା (ଆମେରିକା): ସୁଦୂର ଆମେରିକାରେ ପାଳିତ ହେଲା ଉତ୍କଳ ଉତ୍ସବ । ଆମେରିକାର ଫ୍ଲୋରିଡା ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆ ଅନୁଷ୍ଠାନ 'ଫ୍ଲୋରିୟା' ପକ୍ଷରୁ ସ୍ଥାନୀୟ ଟାମ୍ପା ସହରରେ ପାଳିତ ହୋଇଛି ଉତ୍କଳ ଉତ୍ସବ ବା ଓଡିଆ ନବବର୍ଷ । ଓଡ଼ିଶୀ ନୃତ୍ୟ, କୁନି କୁନି କଳାକାରଙ୍କ ଦ୍ବାରା ସାମୁହିକ ଗୀତ ପରିବେଷେଣ ସାଙ୍ଗକୁ ସମ୍ବଲପୁରୀ ନୃତ୍ୟରେ ଝୁମିଥିଲା ଟାମ୍ପା ସହର । ଓଡ଼ିଆମାନେ ଏହାର ଭରପୂର ଉପଭୋଗ କରିଥିଲେ । ଟାମ୍ପା ଓ ନିକଟବର୍ତ୍ତୀ ଅର୍ଲୋଣ୍ଡୋ ସହରର ପ୍ରାୟ ୨୦୦ରୁ ଅଧିକ ଓଡ଼ିଆ ପରିବାର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷିତ ହୋଇଥିଲା ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ତବଲା ଏବଂ ମୃଦଙ୍ଗ ବାଦ୍ୟ, ପୁରୁଣା ଓ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପରିବେଷଣ ହୋଇଥିଲା । ଓଡ଼ିଶାର ବରପୁତ୍ରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଫ୍ୟାନ୍ସି ଡ୍ରେସ କାର୍ଯ୍ୟକ୍ରମ । ଯେଉଁଥିରେ କୁନି କୁନି ପିଲାମାନେ ଓଡ଼ିଶାର ବରପୁତ୍ରଙ୍କ ବେଶରେ ନଜର ଆସିଥିଲେ । ରାଜ୍ୟର ହସ୍ତତନ୍ତ୍ରକୁ ଲୋକପ୍ରିୟ କରାଇବା ପାଇଁ ଅନୁଷ୍ଠାନର ମହିଳାମାନେ ଏକ ମନଲୋଗ ଫ୍ୟାଶନ ଶୋ'ର ଆୟୋଜନ କରିଥିଲେ । ଏହାସହ କୁନି କୁନି ପାଲାଙ୍କୁ ଉତ୍କଳ ଦିବସର ମହନୀୟତା ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।