ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ , ଖୋର୍ଦ୍ଧା ସଂପୁରରେ ଧୁମଧାମରେ ପାଳିତ - ଖୋର୍ଦ୍ଧା ସଂପୁରରେ ଧୁମଧାମରେ ପାଳିତ ନୂଆଁଖାଇ
Published : Sep 20, 2023, 1:13 PM IST
ଖୋର୍ଦ୍ଧା: ଓଡିଶାର ଚାଲିଚଳଣି , ସଂସ୍କୃତି ଓ ପରମ୍ପରା ନିଆରା । ଦେଶର ଅନ୍ୟାନ୍ୟ ଅଞ୍ଚଳଠାରୁ ଭିନ୍ନ ଓ ସ୍ଵତନ୍ତ୍ର ମଧ୍ୟ । ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ନୂଆଁଖାଇ ପର୍ବ ହେଉଛି ଅନନ୍ୟ । ବିଶେଷ କରି ପଶ୍ଚିମ ଓଡିଶାରେ ଏହି କୃଷି ଭିତ୍ତିକ ପର୍ବକୁ ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ କରାଯାଇଥାଏ । ସେହିପରି ପୂର୍ବ ଓଡ଼ିଶାରେ ମଧ୍ୟ ଏହି ନୂଆଁଖାଇର ଝଲକ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଂପୁର ଗ୍ରାମରେ ଧୁମଧାମରେ ପାଳନ ହୋଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଏଠାରେ ନୂଆଁଖାଇ ପର୍ବ ଆଡ଼ମ୍ବର ସହକାରେ ପାଳନ କରିଛନ୍ତି ସମସ୍ତ ଗ୍ରାମବସୀ । ସଂପୁର ଗ୍ରାମବାସୀ ସକାଳୁ ସକାଳୁ ନିତ୍ୟକର୍ମ ସାରି ନୂଆ ପୋଷାକ ପରିଧାନ କରି ବାଲୁଙ୍କେଶ୍ବର ମନ୍ଦିରରେ ହାଜର ହୋଇଥିଲେ । ସ୍ନେହ ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ନୂଆଁଖାଇରେ ନୂଆ ଚାଉଳ, ନୂଆ ଚୁଡ଼ା, ଗୁଡ଼ କଦଳୀ ସହ ଠାକୁରଙ୍କ ପାଖରେ ନଅ ପ୍ରକାର ବ୍ୟଞ୍ଜନ ଲାଗି କରିଥିଲେ । ନବାନ୍ନ ଲାଗିବା ପରେ ସମସ୍ତେ ପିଠାପଣା କ୍ଷିରୀ ପୁରୀ ମିଠା ଡାଲି ତରକାରୀ ଆଦି ପ୍ରସାଦକୁ ନିଜ ନିଜ ଘରକୁ ନେଇ ଆନନ୍ଦରେ ସମସ୍ତେ ଏକାଠି ବସି ନୂଆଁଖାଇ ପାଳନ କରିଥାଆନ୍ତି ।
ଏହା ମଧ୍ୟ ପଢନ୍ତୁ- ଆଜି ଭାବର ତିହାର ନୂଆଁଖାଇ, ଦୁଲୁୁକୁଛି ପଶ୍ଚିମ ଓଡ଼ିଶା
କିମ୍ବଦନ୍ତୀ କହେ ଖୋର୍ଦ୍ଧା ରାଜାଙ୍କ କନ୍ୟା ମୁକ୍ତା ଦେଇ ସମ୍ବଲପୁରର ରାଜା ଜୟନ୍ତ ସିଂଙ୍କୁ ବିବାହ କରିଥିଲେ । ୧୯୧୭ ମସିହାରେ ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେବା କାରଣରୁ ସେ ଯୌତୁକ ବାବଦରେ ପାଇଥିବା ସଂପୂର ରାଜ୍ୟରେ ଆସି ଅବସ୍ଥାନ କଲେ । କାରଣ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ ଇଂରେଜମାନଙ୍କ କଠୋର ଶାସନକୁ ପାଇକମାନେ କାର୍ଯ୍ୟକାରୀ କରାଉ ନ ଥିଲେ । ସମ୍ବଲପୁର ରାଣୀ ଏହି ଅଞ୍ଚଳରେ ରହିଥିବାରୁ ନୂଆଁଖାଇ ପର୍ବକୁ ଆରମ୍ଭ କରିଥିଲେ । ସେବେଠାରୁ ଖୋର୍ଦ୍ଧାରେ ନୂଆଁଖାଇ ପର୍ବ ପାଳନ କରାଯାଉଥିବା କହିଛନ୍ତି ବୁଦ୍ଧିଜୀବୀ । ଏହି ନୂଆଁଖାଇ ଜାତି ଅଜାତି ଉଚ୍ଚନୀଚ ଭେଦଭାବ ନଥାଏ । ସମସ୍ତେ ମାନ ଅଭିମାନ ରାଗ ରୁଷା ଭୂଲି ଏକାଠି ହେବା ପରେ ମନ୍ଦିର ବାରଣ୍ଡାରେ ପ୍ରସାଦ ସେବନ କରନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା