ସଙ୍ଗୀତ ପ୍ରେମରେ ପୋଲିସ ବାବୁ, ଘରେ ସାଇତିଛନ୍ତି ୨୦୦ ବଂଶୀ ସାଙ୍ଗକୁ ଅନେକ ବାଦ୍ୟଯନ୍ତ୍ର - ସଙ୍ଗୀତ ପ୍ରେମ
ଖୋର୍ଦ୍ଧା: ପେଶା ପୋଲିସ ଚାକିରି କିନ୍ତୁ ନିଶା ସଙ୍ଗୀତ । ଆଉ କର୍ମମୟ ଜୀବନରୁ ଟିକିଏ ଫୁରସତ ପାଇଲେ ବସି ଯାଆନ୍ତି କେତେବେଳେ ବଂଶୀ ଧରି ତ ଆଉ କେତେବେଳେ ମୃଦଙ୍ଗ ଓ ଡୁବି ତବଲା ଧରି । ଆମେ କହୁଛୁ ବେଗୁନିଆ ଥାନାରେ ଏଏସଆଇ ଭାବେ କାର୍ଯ୍ୟରତ ସରୋଜ ସେନାପତିଙ୍କ କଥା । ପୋଲିସ ଚାକିରିରେ ସବୁବେଳେ କାର୍ଯ୍ୟବ୍ୟସ୍ତ ରହୁଥିବା ବେଳେ ମାନସିକ ଶାନ୍ତି ପାଇଁ ସଙ୍ଗୀତର ସାହାରା ନିଅନ୍ତି ସରୋଜ । ନିଜ ସରକାରୀ ଘରକୁ ସେ ବଂଶୀ ଓ ବିଭିନ୍ନ ବାଦ୍ୟଯନ୍ତ୍ରରେ ଭର୍ତ୍ତି କରି ରଖିଥିବା ଦେଖିବାକୁ ମିଳିଛି ।
ନିଜ ଘରେ ବିଭିନ୍ନ ସ୍ବରର ୨୦୦ରୁ ଊର୍ଦ୍ଧ୍ବ ବଂଶୀ ସାଇତି ରଖିଛନ୍ତି ଓ କର୍ମମୟ ଜୀବନରୁ ଟିକିଏ ଫୁରସତ ପାଇଲେ ବଂଶୀ ବଜାଇ ଆନନ୍ଦିତ ହେଉଥିବା କହିଛନ୍ତି ସରୋଜ । କେବଳ ବଂଶୀ ବଜାନ୍ତି ନାହିଁ ସ୍ବତନ୍ତ୍ର ବାଉଁଶରେ ପ୍ରସ୍ତୁତ ହେଉଥିବା ବଂଶୀକୁ ବଜାରରେ ମିଳୁଥିବା ପିଭିସି ପାଇପ ମାଧ୍ୟମରେ ପ୍ରସ୍ତୁତ କରି ବିଭିନ୍ନ ସ୍କେଲର ସ୍ବର ବାହାର କରିବାରେ ସେ ପୁରା ମାହିର । ଆଉ ସେଇଥି ପାଇଁ ସଙ୍ଗୀତ ପିଛା ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା କହିଛନ୍ତି ।
ଏହା ବି ପଢନ୍ତୁ- ସ୍ବାଦିଷ୍ଟ ନନ୍ଭେଜ୍ ଦହିବରା, ନୂତନ ଟେଷ୍ଟ୍ ପାଉଛନ୍ତି ଜଳଖିଆ ସଉଖିନିଆ
ସେହିଭଳି ଆମ ଲୋକକଳା ସଂସ୍କୃତି ସାରା ପୃଥିବୀରେ ସ୍ବତନ୍ତ୍ର ହୋଇଥିବା ବେଳେ ଏହାକୁ ଆଗାମୀ ପୀଢ଼ି ପର୍ଯ୍ୟନ୍ତ ସାଇତି ରଖିବାକୁ ପ୍ରୟାସ କରୁଛନ୍ତି । ସରୋଜଙ୍କ କହିବା ଅନୁଯାୟୀ ସେ ଦିନର ପରିଶ୍ରମ ଓ ମାନସିକ ଚାପ କମାଇବା ପାଇଁ ବଂଶୀର ସାହାଯ୍ୟ ନିଅନ୍ତି । ସେହିପରି ବଂଶୀ ବଜାଇବା ଦ୍ବାରା ତାଙ୍କ ରକ୍ତଚାପ ଜନିତ ସମସ୍ୟା ଦୂର ହୋଇଥିବା କହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା