Happy Birthday Mahi: କଟକରୁ ଧୋନୀଙ୍କୁ ଶୁଭେଚ୍ଛା, କେକ୍ କାଟି ଜନ୍ମଦିନ ସେଲିବ୍ରେସନ୍ କଲେ ଫ୍ୟାନ୍ସ - କଟକରୁ ଧୋନୀଙ୍କୁ ଶୁଭେଚ୍ଛା
କଟକ: ୪୨ ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏନେଇ ସାରା ବିଶ୍ବରୁ ମାହିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହିକ୍ରମରେ କଟକରେ ମଧ୍ୟ ମାହିଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ଫ୍ୟାନ୍ସ । ଧୋନୀ ତାଙ୍କ ଜୀବନରେ ଆହୁରି ଅନେକ ସଫଳତା ହାସଲ କରନ୍ତୁ ବୋଲି କହିଛନ୍ତି ଫ୍ୟାନ୍ସ ।
୭ ଜୁଲାଇ ୧୯୮୧ ମସିହାରେ ଝାଡଖଣ୍ଡର ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ ଏହି କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । ଭାରତୀୟ କ୍ରିକେଟ୍ର ଏହି କୋହିନୁର୍ କ୍ରିକେଟରଙ୍କର ଆଜି ଜନ୍ମଦିନ । ଆଉ ଏହାକୁ ପାଳୁଛି ସାରା ବିଶ୍ବ । ତେବେ ଏହି ଶୁଭେଚ୍ଛାର ସୁଅ ମଧ୍ୟରେ କଟକ ମଧ୍ୟ ହୋଇଛି ସାମିଲ । ଦରଘା ବଜାରର ସରୋଜ ରଞ୍ଜନ କର, ଯିଏକି ଧୋନୀଙ୍କର ଜଣେ ବଡ଼ ପ୍ରଶଂସକ, ଜୀବନ ତମାମ ଧୋନୀଙ୍କ ବିଭିନ୍ନ ସ୍ମୃତି ଯେପରି ବ୍ୟାଟ, ଗ୍ଲୋବ୍ସ, ବଲ, ଅଟୋଗ୍ରାଫ ଓ ହେଲମେଟକୁ ସାଉଁଟିବା ସହ ଆଜି କେକ୍ କାଟି ମାହିଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଜୀବନ ଥିବା ପର୍ଯ୍ୟନ୍ତ ମାହିଙ୍କ ସ୍ମୃତି ସାଉଁଟିବାରେ କାଟି ଦେବି ବୋଲି କହିଛନ୍ତି ସରୋଜ ।
ଏହା ମଧ୍ୟ ପଢ଼ନ୍ତୁ...ଧୋନୀ@42: ନାମ ଏକ କୀର୍ତ୍ତି ଅନେକ, ଉଠାଇଛନ୍ତି 3ଟି ଫର୍ମାଟରେ ICC ଟ୍ରଫି
ଅନ୍ୟପଟେ ଏହି ଧୋନୀଙ୍କ ଏହି ଶୁଭ ଜନ୍ମଦିନରେ ନିଜକୁ ସାମିଲ କରିଛନ୍ତି ଏମ୍ଏସ୍ଡିଆନ୍ ଆସୋସିଏସନ୍ (MSDian Association) । ସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ବିଭିନ୍ନ ସେବା ଯୋଗାଇ ଦିଆଯାଇଛି । ଏହାଛଡ଼ା ଧୋନୀ ହେଉଛନ୍ତି ଯୁବକମାନଙ୍କ ପାଇଁ ପ୍ରେରଣା । କାରଣ କେବଳ କ୍ରିକେଟ ନୁହେଁ, ବରଂ ଭଲ ମଣିଷ ହେବାର ବାଟ ମଧ୍ୟ ବତାଇ ଥାଆନ୍ତି ମାହି ବୋଲି କହିଛନ୍ତି ସଂଘର କର୍ମକର୍ତ୍ତା । ତେବେ ଆଗମୀ ଦିନରେ ମଧ୍ୟ ମାହିଙ୍କ ଜନ୍ମଦିନକୁ ଆହୁରି ଜୋରଦାର ଭାବରେ ପାଳନ କରାଯିବ ବୋଲି କହିଛି ଏମ୍ଏସ୍ଡିଆନ୍ ଆସୋସିଏସନ୍ । ପ୍ରତିବର୍ଷ ଜନ୍ମଦିନ ଆସିବ, ଏହାକୁ ବେଶ ଆଡ଼ମ୍ବର ସହ ପାଳନ କରାଯିବ । ହେଲେ ମାହି ପ୍ରତିଦିନ ପ୍ରତି ଫ୍ୟାନ୍ସ୍ଙ୍କ ପାଇଁ ପ୍ରେରଣାର ପ୍ରବର୍ତକ ରହିବେ ବୋଲି ପ୍ରଶଂସକ ମତ ରଖିଛନ୍ତି ।
ଇଟିଭି ଭାରତ, କଟକ