ଆକାଶରୁ ଖସିଲା ମୃତ୍ୟୁ, ବଜ୍ରାଘାତରେ ମାଆ ଓ ପୁଅ ମୃତ
କୋରାପୁଟ: ପରିବାର ଉଜାଡି ଦେଲା ବଜ୍ରାଘାତ । ବଜ୍ରାଘାତରେ ଚାଲିଗଲା ମାଆ ଓ ପୁଅର ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗ୍ରାମରେ । ଉକ୍ତ ଗ୍ରାମର ଲିଙ୍ଗରାଜ ହାବଲାଙ୍କ ପତ୍ନୀ ଦୁରୁବତୀ ହାବଲା ଓ ତାଙ୍କ ପୁଅ ଦୀପକ ହାବଲା ମିଶି ଜମିରେ ଚାଷ କାମ କରୁଥିଲେ l ବର୍ଷା ଆସିବାରୁ ଲିଙ୍ଗରାଜ ହାବଲା ଜମିରୁ ବାହାରି ଆସିଥିଲେ l କିନ୍ତୁ ପୁଅ ଓ ସ୍ତ୍ରୀ ଜମିରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିଲା l ବଜ୍ରାଘାତରେ ମାଆ ଓ ପୁଅ ବିଲରେ ଟଳି ପଡ଼ିଥିଲେ l ସଙ୍ଗେସଙ୍ଗେ ମା ଓ ପୁଅଙ୍କୁ ବୋରିଗୁମ୍ମା ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ମାଆ ଓ ପୁଅଙ୍କ ଅକାଳ ବିୟୋଗ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଇଟିଭି ଭାରତ, କୋରାପୁଟ