ଓଡିଶା

odisha

ପାରାଦ୍ବୀପ ପ୍ରଶାସନକୁ ଘାରିଛି ବିଷାକ୍ତ ଆମୋନିଆ ଓ କ୍ଲୋରିଂନ ଗ୍ୟାସ ଚିନ୍ତା, କମ୍ପାନୀ ଗୁଡିକରେ ହେଲା ମକଡ୍ରିଲ୍

ETV Bharat / videos

ପାରାଦ୍ବୀପରେ ପ୍ରଶାସନର ମକଡ୍ରିଲ୍, ଆମୋନିଆ ଓ କ୍ଲୋରିନ ଗ୍ୟାସ୍ ଲିକ୍ ମୁକାବିଲା ନେଇ ପ୍ରଶିକ୍ଷଣ - ବିଷାକ୍ତ ଗ୍ୟାସ ଲିକ୍ ଚିନ୍ତା

By ETV Bharat Odisha Team

Published : Jan 12, 2024, 12:05 PM IST

Mock Drill For Poisonous Gas Leak: ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲା ପାରାଦ୍ବୀପଠାରେ ବିଷାକ୍ତ ଗ୍ୟାସ ଲିକ୍କୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି ।ପାରାଦ୍ବୀପର ୪ଟି ଶିଳ୍ପସଂସ୍ଥା ପାରାଦ୍ୱୀପ ପୋର୍ଟ, ଆଇଓସିଏଲ, ଇଫକୋ ଓ ପିପିଏଲ ମଧ୍ୟରେ ବିଷାକ୍ତ ଆମୋନିଆ ଓ କ୍ଲୋରିନ ଗ୍ୟାସ୍ ମହଜୁତ ରହିଛି । ଫଳରେ କେଉଁ ସମୟରେ ଯଦି ଅଘଟଣ ଘଟେ, ତେବେ ପାରାଦୀପ ଓ ଏହାର ୨୦ କିଲୋମିଟର ପରିଧି ମଧ୍ୟରେ ବ୍ୟାପକ ଜୀବନ ହାନୀ ହେବାର ଆଶଙ୍କା ରହିଛି। ଯାହାକୁ ନେଇ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗ୍ୟାସକୁ ନେଇ କମ୍ପାନୀମାନଙ୍କୁ ସତର୍କ କରାଇବା ସହ ମକଡ୍ରିଲ କରାଯାଇଛି ।

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଷାକ୍ତ ଗ୍ୟାସ ଲିକ୍ ହେଲେ କିଭଳି ଏହାର ମୁକାବିଲା କରାଯାଇ ପାରିବ ତାକୁ ନେଇ କମ୍ପାନୀମାନଙ୍କ ସହ ଆଲୋଚନା କରାଯିବା ସହିତ ମକଡ୍ରିଲ କରାଯାଇଛି। ପ୍ରଥମେ ଏହି ୪ଟି ଶିଳ୍ପାନୁଷ୍ଠାନରେ ବିଷାକ୍ତ ଆମୋନିଆ ଓ କ୍ଲୋରିନ୍ ଗ୍ଯାସ ଲିକ୍ ଏବଂ ବିଶୋଧିତ ତୈଳ ଲିକ୍ ହେବାର କୃତ୍ରିମ ବିପର୍ଯ୍ଯୟ ନେଇ ସାଇରନ ବାଜିଥିଲା । ସମ୍ଭାବ୍ଯ ବିପର୍ଯ୍ୟୟ ବିଷୟରେ ପ୍ଲାଣ୍ଟ ଭିତରେ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସତର୍କ ସୂଚନା ଦିଆଯିବା ସହ ପ୍ରଭାବିତ ୬୦ଜଣ ଲୋକଙ୍କୁ ପୂର୍ବ ନିର୍ଦ୍ଧାରିତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । 

ଏଥିପାଇଁ ପାରାଦ୍ବୀପ ପୋର୍ଟର ପ୍ରଭାବିତଙ୍କୁ ଅଠରବାଙ୍କୀ କୋଭିଡ ସେଣ୍ଟର, ଆଇଓସିଏଲର ପ୍ରଭାବିତଙ୍କୁ ନିମିଡିହୀ ସେଲଟର, ଇଫକୋର ପ୍ରଭାବିତଙ୍କୁ ଫାର୍ମର ସେଲଟର ଓ ପିପିଏଲ ର ପ୍ରଭାବିତଙ୍କୁ ପାରାଦ୍ଵୀପ ଗୋ ଡାଉନ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ପ୍ରଭାବିତଙ୍କୁ ପ୍ରଥମେ ଶୁଖିଲା ଓ ପରେ ରନ୍ଧା ଖାଦ୍ୟ ସହ ପାଣି ଯୋଗାଇ ଦିଆଯାଇଥିଲା । ଗ୍ୟାସ ଲିକ୍ ସ୍ଥାନଗୁଡିକରେ ଲିକ୍ ମରାମତି, ଫୋମ ସ୍ପ୍ରେ ଦ୍ବାରା ଅଗ୍ନି ନିର୍ବାପନର କଳା କୌଶଳ ପ୍ରଦର୍ଶନ ହୋଇଥିଲା । ରକ୍ଷାକରୀମାନେ ଗ୍ୟାସ୍ ଟାଇଟ ପୋଷାକ ପରିଧାନ କରି ଉଦ୍ଧାର କାର୍ଯ୍ୟର କୌଶଳ ଦେଖାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ଓ ଡିପିଓ ଇଜାଜ ଇକବାଲ ପକ୍ଷରୁ କଣ୍ଟ୍ରୋଲ ରୁମ୍, triaged centre, ରିଲିଫ ସେଣ୍ଟର, ପ୍ରଦୂଷଣ ସ୍ଥାନ, ହଳଦିଆ ସବୁଜ ଜୋନ୍ ଓ ରେଡ୍ ଜୋନ୍ ସମ୍ପର୍କରେ ଜନସାଧାରଣଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । 

ଏହା ମଧ୍ୟ ପଢନ୍ତୁ:ପାରାଦ୍ୱୀପ ପାଇଁ ବିପଦ ଆମୋନିଆ ଗ୍ୟାସ, ଇଫକୋ କାରାଖାନାରେ ହେଲା ମକଡ୍ରିଲ

ଏହି ରାସାୟନିକ ମକ୍ ଡ୍ରିଲରେ ପୋଲିସ, ଓଡ୍ରାଫ୍, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମିଶନ ଶକ୍ତି ମହିଳା, ଆଶା କର୍ମୀ, ଆପଦ ମିତ୍ର, ଟାସ୍କ ଫୋର୍ସ, ସିଭିଲ ଡିଫେନ୍ସ ଭଲ୍ଯୁଣ୍ଟିୟର ଭାଗ ନେଇଥିଲେ । ବର୍ତ୍ତମାନ ଦ୍ରୁତ ଶିଳ୍ପାୟନ ଯୁଗରେ ଆକସ୍ମିକ ଭାବେ ଘଟୁଥିବା ଏହିପରି ଦୁର୍ଘଟଣା ସମୟରେ ଭୟଭୀତ ନହୋଇ ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। 


ଜଗତସିଂହପୁର, ଇଟିଭି ଭାରତ

ABOUT THE AUTHOR

...view details