Train Mishap: ସୂକ୍ଷ୍ମ କାରୁକାର୍ଯ୍ୟରେ ଟ୍ରେନ ଦୁର୍ଘଟଣାର କରୁଣ ଚିତ୍ର, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି - ଟ୍ରେନ ଦୁର୍ଘଟଣା
ଯାଜପୁର: ନିଆରା ଢଙ୍ଗରେ ମହମରେ ଅତି କ୍ଷୁଦ୍ର ଟ୍ରେନ ଦୁର୍ଘଟଣାର ଦୃଶ୍ୟ ଆଙ୍କି ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଲୁକା ଶିଳ୍ପୀ ରାକେଶ । ଗତ ୨ ତାରିଖ ଶୁକ୍ରବାର ରାତିରେ ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ କରମଣ୍ଡଳ ଦୁର୍ଘଟଣା ଯୋଗୁଁ ୨୮୮ ଜଣ ରେଳ ଯାତ୍ରୀଙ୍କ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହେଇଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶ ସ୍ତବ୍ଦ ହେଇଯାଇଛି । ତେବେ ଏହି ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ଅନେକ ସଂଗଠନ ଓ ବ୍ୟକ୍ତି ବିଶେଷ ବିଭିନ୍ନ ମଧ୍ୟରେ ଜଣାଉଛନ୍ତି । ତେବେ ଏହି ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରେଳ ଯାତ୍ରୀଙ୍କୁ ନିଆରା ଢଙ୍ଗରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଯାଜପୁର ଜିଲ୍ଲା ନାଥସାହି ଗାଁର ବାଲୁକା ଶିଳ୍ପୀ ରାକେଶ କୁମାର ପାତ୍ର । ଆଜି ରାକେଶ ମହମରେ ଅତି ନିଖୁଣ ଭାବେ ରେଳ ଦୁର୍ଘଟଣା ସମୟର ଦୃଶ୍ୟ କ୍ଷୁଦ୍ରଚିତ୍ର ମାଧ୍ୟମରେ ତିଆରି କରି ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତେବେ ରାକେଶଙ୍କର ଏହି କ୍ଷୁଦ୍ର ଚିତ୍ରକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି ।
ଇଟିଭି ଭାରତ, ଯାଜପୁର