ଝରିଗାଁରେ ଲାଗିଲା ମାଓ ପୋଷ୍ଟର, ତେଲନଦୀ ବନ୍ଧ କାମ ବନ୍ଦ କରିବାକୁ ଚେତାବନୀ - ବନ୍ଧ କାମ ବନ୍ଦ କରିବାକୁ ଚେତାବନୀ
ନବରଙ୍ଗପୁର: ଜିଲ୍ଲାରେ ଗତ କିଛି ଦିନ ହେବ ମାଓବାଦୀ ନିଜ ଉପସ୍ଥିତି ଜାହିର କରି ବିଭିନ୍ନ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବରୁ ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ଗଳାକାଟି ହତ୍ୟା କରିଥିଲେ । ଆଜି ଜିଲ୍ଲାର ଝରିଗାଁରେ ରହିଥିବା ସେଣ୍ଟ୍ରାଲ ନର୍ସରୀ ନିକଟରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ନର୍ସରୀ ନିକଟରେ ଥିବା ଏକ ବେଞ୍ଚରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ । ଏଥିରେ ଚନ୍ଦାହାଣ୍ଡିଠାରେ ପ୍ରସ୍ତାବିତ ତେଲନଦୀ ଉପରେ ବହୁମୁଖୀ ଜଳ ପ୍ରକଳ୍ପ ଓ ଝରିଗାଁ ବ୍ଲକ ଚଚା ନିକଟରେ ସତୀଘାଟଠାରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ ବିରୋଧ କରାଯାଇଛି । ଏହି ପ୍ରକଳ୍ପ ହେଲେ ୧୦୦୦ ପରିବାର ବିସ୍ଥାପିତ ହେବେ ଏବଂ ଲୋକଙ୍କ ଜମି, ଜଙ୍ଗଲ, ଦେବୀ ଦେବତା ଓ ସାଂସ୍କୃତିକ ଅନୁଷ୍ଠାନ ନଷ୍ଟ ହେବ । ଲୋକ ରୋଜଗାର ହରାଇବେ ବୋଲି ଉଲ୍ଲେଖ ରହିଛି । ଏହା ବ୍ୟତୀତ ବନ ବିଭାଗର ରେଞ୍ଜର ଓ ଫରେଷ୍ଟର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ମଧ୍ୟ ଜଙ୍ଗଲ ଜମି ପଟ୍ଟା ଦେଉନାହାନ୍ତି ବୋଲି ପୋଷ୍ଟରରେ ଲେଖା ଯାଇଛି । ପୋଷ୍ଟରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ । ତେଲନଦୀ ବନ୍ଧ କାମ ତୁରନ୍ତ ବନ୍ଦ ନ କଲେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି । ଇଟିଭି ଭାରତ, ନବରଙ୍ଗପୁର