କଙ୍କଡା ଧରୁଥିବା ବେଳେ କାମୁଡ଼ିଲା ଅଜଗର, ଆଉ ତାପରେ... - କଙ୍କଡା ଧରୁଥିବା ବେଳେ କାମୁଡ଼ିଲା ଅଜଗର
Published : Nov 10, 2023, 11:56 AM IST
କେନ୍ଦ୍ରାପଡା: ନଦୀରୁ କଙ୍କଡ଼ା ଧରୁଥିବା ବେଳେ କାମୁଡିଲା ଅଜଗର । ସାପକୁ ବ୍ୟାଗ୍ରେ ପୁରାଇ ଯାଉଥିବା ବେଳେ ରାସ୍ତାରେ ଅଚେତ ହୋଇ ପଡ଼ିଲେ ବ୍ୟକ୍ତି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ସହ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ପଥଚାରୀ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ମହାକାଳପଡ଼ା ଆଖଡାଶାଳି ଅଞ୍ଚଳରେ । ସାପ କାମୁଡାରେ ଗୁରୁତର ହୋଇଥିବା ବ୍ୟକ୍ତି ହେଉଛି ଲୁଣି ମାଠିଆ ଗ୍ରାମର ଜଗଦିଶ ମଳିକ । ତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ହେଉଛନ୍ତି ପବିତ୍ର ବେହେରା । ମିଳିଥିବା ସୂଚନା ଅନୁଯାୟୀ, ଜଗଦିଶ ମଳିକ ଆଜି ସକାଳ ସମୟରେ ଆଖଡାସାହି ନିକଟରେ ନଦୀରୁ କଙ୍କଡା ଧରିବାକୁ ଯାଇଥିବା ବେଳେ ସାପ କାମୁଡାକ ଶିକାର ହୋଇଥିଲେ। ଏହାପରେ ସେ ସାପଟିକୁ ଧରି ଏକ ବ୍ୟାଗରେ ପୁରାଇ ଯାଉଥିବା ବେଳେ ରାସ୍ତାରେ ଅଚେତ ଅବସ୍ଥାରେ ପଡିଥିଲେ । ସେହି ରାସ୍ତା ଦେଇ ରାମନଗର ଗ୍ରାମର ପବିତ୍ର ବେହେରା ଓ ଅନ୍ୟ ଜଣେ ଯିବା ସମୟରେ ଜଗଦିଶଙ୍କୁ ଅଚେତ ଅବସ୍ଥାରେ ପଡିଥିବା ଦେଖି ଆମ୍ବୁଲାନ୍ସ ଯୋଗେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏହାପରେ ବ୍ୟାଗରେ ବନ୍ଧାଥିବା ସାପକୁ ମଧ୍ଯ ଡାକ୍ତରଖାନାକୁ ଆଣିଥିଲେ । ଜଗଦିଶଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ବନବିଭାଗ ଖବର ପାଇ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ବ୍ୟାଗରେ ଥିବା ୪ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି ।
ଏହା ମଧ୍ୟ ପଢନ୍ତୁ-ନାବାଳକକୁ ଦଂଶିଲା ବିଷଧର, ଚାଲିଗଲା ଜୀବନ
ଇଟିଭି ଭାରତ, କେନ୍ଦ୍ରାପଡା