ବିଲକୁ ଯାଇଥିଲେ ମାରିଲା ବିଜୁଳି, ଆଖି ବୁଜିଲେ ଯୁବକ
ଭଦ୍ରକ:ଏମିତି ବି ଆସେ ମୃତ୍ୟୁ । ବିଲକୁ ଯାଇଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ । ଚାଲିଗଲା ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ବନ୍ତ ବ୍ଲକ୍ ଟିଲୋ ପଞ୍ଚାୟତ ଅନ୍ତର୍ଗତ ଦେବତାଗଡିଆ ଗ୍ରାମର । ମୃତକ ହେଉଛନ୍ତି ଦେବତାଗଡିଆ ଗ୍ରାମର ସଲଖାନ୍ ହାଁସଦା । ସୂଚନା ମୁତାବକ, ଗତକାଲି ସଲଖାନ୍ ଚାଷ କାମ ପାଇଁ ବିଲକୁ ଯାଇଥିଲେ । ସେହି ସମୟରେ ହଠାତ୍ ଭୀଷଣ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।
ଏନେଇ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିଥିଲେ । ଅନ୍ୟପଟେ ଏହି ଘଟଣାକୁ ନେଇ ତାଙ୍କର ଦାଦା ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବନ୍ତ ପୋଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ପରଲୋକରେ ତାଙ୍କର ପତ୍ନୀ, 3 ଝିଅ ଏବଂ ଏକ ମାତ୍ର ନାବାଳକ ପୁଅ ବେସାହାରା ହୋଇଯାଇଛନ୍ତି । ତେଣୁ ତୁରନ୍ତ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀମାନେ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ବଜ୍ରାଘାତରେ ଚାଲିଗଲା 3 ଜୀବନ, 5 ଆହତ
ଇଟିଭି ଭାରତ, ଭଦ୍ରକ