Unique Wedding: ବିନା ବାଜା ବାଣରେ ବିବାହ, ସମାଜକୁ ଦେଲେ ନିଆରା ବାର୍ତ୍ତା - ପାରମ୍ପରିକ ବାଜା
କେନ୍ଦ୍ରାପଡ଼ା: ମହଙ୍ଗା ଯୁଗରେ ନିରାଡ଼ମ୍ବର ବାହାଘର । ସମାଜକୁ ନିଆରା ବାର୍ତ୍ତା ଦେଲେ ଶିକ୍ଷକ । ସାଇକେଲ ଚଢି ବାହା ହେବାକୁ ଯାଇଥିବା ବେଳେ ଗଛ ବାଣ୍ଟି ଦେଲେ ନିଆରା ବାର୍ତ୍ତା । ଆଧୁନିକ ଯୁଗରେ ଡିଜେ ବାଜା ବିନା ବର କିମ୍ବା ବରଯାତ୍ରୀ ପାଦେ ବାଟ ଆଗକୁ ଯାଉନଥିବା ବେଳେ ପାରମ୍ପରିକ ବାଜାର ତାଳେତାଳେ ସମସ୍ତେ ନାଚି କନ୍ୟାଘରକୁ ଯାଇ ବିବାହ କାର୍ଯ୍ୟରେ ଯୋଗଦେଇଛନ୍ତି । ଯାହାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । ଏଭଳି ଏକ ସୁନ୍ଦର ଓ ଶିକ୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଗରଦପୁର ବ୍ଲକ ବଡ଼ ବେତରାର ମିର୍ଜାପୁର ଗାଁରେ।
କେନ୍ଦ୍ରାପଡା ବ୍ଲକ ଭରତପୁର ପଞ୍ଚାୟତ କନ୍ତିଆ ଗାଁର ଶିକ୍ଷକ ତଥା ବର ବେଶ ଧରିଥିବା ରାଜେଶ କୁମାର ବାରିକ ଗରଦପୁର ବ୍ଲକକୁ ବର ହୋଇ ଆସୁଥିବା ବେଳେ ବାଟ ସାରା ଲୋକମାନଙ୍କୁ ତଥା ପଥଚାରୀମାନଙ୍କୁ ଫଳ, ଫୁଲ ଓ ବିଭିନ୍ନ ଔଷଧ ଜାତୀୟ ଗଛ ବାଣ୍ଟିଥିଲେ । ଜାତି, ଜାତକ ଓ ଯୌତୁକ ବିନା ଅନୁଷ୍ଠିତ ଏହି ବିବାହ ଭଳି ପବିତ୍ର କାର୍ଯ୍ୟରେ ବର ପକ୍ଷଙ୍କ ଏଭଳି ନିଆରା ଢଙ୍ଗରେ ଆସିବା ଦେଖି ଖୁବ ଖୁସି ହୋଇଥିଲେ କନ୍ୟା ପକ୍ଷ ।
ଏହା ବି ପଢନ୍ତୁ- ମହରଗ ଦୁନିଆରେ ମିଳୁଛି 50 ପଇସାରେ ବରା, ଝୁମ୍ପୁଡି ଘର ଆଗରେ ରାତି 10 ଯାଏଁ ଜମୁଛି ଭିଡ
ଯୁବକଙ୍କୁ ନିଶା ଦେଇ ପଥଭ୍ରଷ୍ଟ କରିବା, ଉଚ୍ଚ ଶବ୍ଦ ସମ୍ପନ୍ନ ଡିଜେ ବ୍ୟବହାର କରିବା, ଆତସବାଜି କରି ବାୟୁ ପ୍ରଦୂଷଣ କରିବା ବିରୋଧରେ ଯାଇ ଏକ ସୁସ୍ଥ ସମାଜ ଓ ପରିବେଶ ଗଠନ ଦିଗରେ ତାଙ୍କର ଏଭଳି ନିଆରା ପଦକ୍ଷେପ ବୋଲି କହିଛନ୍ତି ରାଜେଶ । କେବଳ ବାହାଘର ଶୋଭାଯାତ୍ରାରେ ଗଛ ବଣ୍ଟନ କରାଯାଇଥିଲା ତାହା ନୁହେଁ ବରଂ ଗଛର ଯତ୍ନ କିପରି ନିଆଯିବ ସେନେଇ ଏକ ସଚେତନତା ସୃଷ୍ଟିକାରୀ ଲିଫ ଲେଟ ମଧ୍ୟ ବଣ୍ଟା ଯାଇଥିଲା । ପ୍ରଦୂଷଣମୁକ୍ତ ସବୁଜ ପୃଥିବୀ ଗଠନ ପାଇଁ ରାଜେଶଙ୍କର ଏହି ନିଆରା ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ପରିବେଶ ସୁରକ୍ଷା ଜୀବନ ରକ୍ଷା । ଏହି କଥାକୁ ମର୍ମେ ମର୍ମେ ଅନୁଭବ କରି ରାଜେଶଙ୍କ ଏହି ପଦକ୍ଷେପକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଇଟିଭି ଭାରତ, କେନ୍ଦ୍ରାପଡା