Manipur Violence: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶ ପୁତ୍ତଳିକା ଦାହ କଲା ମହିଳା କଂଗ୍ରେସ - ବ୍ରହ୍ମପୁର ଖବର
ବ୍ରହ୍ମପୁର: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଯିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ମହିଳାଙ୍କ ପ୍ରତି ଏହି ବର୍ବରତାର ପ୍ରତିବାଦରେ ରାଜରାସ୍ତାରେ ଗର୍ଜୁଛି ମହିଳା କଂଗ୍ରେସ । ମଣିପୁର ହିଂସାକୁ ନେଇ ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଶନିବାର ବ୍ରହ୍ମପୁର ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ପ୍ରଧାନମନ୍ତ୍ରୀ ମୋଦି ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନୀରବ ରହିବା ଘଟଣାକୁ ନିନ୍ଦା କରିଛି ଦଳ । ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ମହିଳା କଂଗ୍ରେସ କହିଛି ଯେ, ୩ ମାସ ହେଲା ମଣିପୁର ଜଳୁଛି । ପ୍ରଧାନମନ୍ତ୍ରୀ ବିଦେଶ ଭ୍ରମଣରେ ଯାଉଛନ୍ତି । ନାରୀର ସମ୍ମାନ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଦିଲ୍ଲୀର ନିର୍ଭୟା ଘଟଣାରେ କ୍ୟାଣ୍ଡେଲ ଜାଳୁଥିବା ନରେନ୍ଦ୍ର ମୋଦି ଏହି ଘଟଣାରେ ଚୁପ୍ ଅଛନ୍ତି । ତେଣୁ ମଣିପୁରରେ ଶାନ୍ତି ପ୍ରତିଷ୍ଠା ସହିତ ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ମହିଳା କଂଗ୍ରେସ ।
ଏହାମଧ୍ୟ ପଢନ୍ତୁ: Manipur Violence:ବିଜେପି ସରକାରରେ ନାରୀ ଅସୁରକ୍ଷିତ କହିଲା ମହିଳା କଂଗ୍ରେସ
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପୀତବାସ ପଣ୍ଡା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଚିନ୍ମୟ କୁମାର ହୋତା, ଯୁବ କଂଗ୍ରେସ ସଭାପତି ବିକାଶ ନାୟକ, ଉପସଭାନେତ୍ରୀ ସୁପ୍ରଭା ଦାସ, ଜିଲ୍ଲା ମହିଳା କଂଗ୍ରେସ ଉପସଭାନେତ୍ରୀ ରଞ୍ଜିତା ପ୍ରଧାନ, ସ୍ୱପ୍ନାରାଣୀ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଗୀତାଞ୍ଜଳି ସାହୁ, ସମ୍ପାଦକ ସୁନିତା ସାହୁ, ସବିତା ନାୟକ, ରୀନା ନାୟକ, ପଦ୍ମା ମହାରଣା, ସିଦ୍ଧାନ୍ତ କୁମାର ସାହୁ ପ୍ରମୁଖ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର