ଓଡିଶା

odisha

ଆକାଶରୁ ବର୍ଷା ଉଭାନ : ମରୁଡି ଚିନ୍ତାରେ ଚାଷୀ

By ETV Bharat Odisha Team

Published : Aug 30, 2023, 5:36 PM IST

ETV Bharat / videos

ଆକାଶରୁ ବର୍ଷା ଉଭାନ: ମରୁଡି ଆଶଙ୍କାରେ ଖୋର୍ଦ୍ଧା ଚାଷୀ

ଖୋର୍ଦ୍ଧା: ଶ୍ରାବଣ ଦେଇ ଚାଲିଛି ଅସହ୍ୟ ଯନ୍ତ୍ରଣା । ଏହି ଯନ୍ତ୍ରଣା ଛଟପଟ ହେଉଛି ଚାଷୀ କୂଳ । ଶ୍ରାବଣ ଯାଇ ଭାଦ୍ରବ ପଶିଲାଣି କିନ୍ତୁ ଆକାଶରେ ମେଘର ଦେଖା ନାହିଁ । ବର୍ଷା ଅଭାବରୁ ଜମିକୁ ପାଣି ବୁହାଇ ବୁହାଇ ନୟାନ୍ତ ହେଲେଣି ଚାଷୀ । ଶ୍ରାବଣ ଶେଷରେ ବିଲ ଛାତି ଫାଟି ଆଁ କରିଥିବା ବେଳେ ଶୁଖିଲା ବିଲକୁ ଚାହିଁ ଚଳିତ ବର୍ଷ ମରୁଡ଼ି କଥା ଭାବି ଚାଷୀର ମୁଣ୍ଡରେ ଚଡ଼କ ପଡ଼ିଛି । ଏଭଳି ସଙ୍ଗିନ ପରିସ୍ଥିତି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖିବାକୁ ମିଳିଛି । ଧାରା ଶ୍ରାବଣରେ ବର୍ଷା ଉଭାନ ହୋଇ ଯାଇଥିବା ବେଳେ କାଁଭାଁ ବର୍ଷା ଚାଷୀର ଚାଷକାର୍ଯ୍ୟ ପାଇଁ ପର୍ଯାପ୍ତ ହୋଇନି ।

ଖୋର୍ଦ୍ଧା ଜିଲ୍ଲାରେ ଜୁଲାଇ ଓ ଅଗଷ୍ଟ ମାସରେ ହାରାହାରି ବୃଷ୍ଟିପାତଠାରୁ କମ୍‌ ବର୍ଷା ହୋଇଛି । ଧାରା ଶ୍ରାବଣରରେ ଜମି ପଡ଼ିଆ ପଡ଼ି ଆରମ୍ଭରୁ ହିଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ରୁଆ ହେବାକୁ ଥିବା କେତେକ ଢିପ ଜମିକୁ ଏପର୍ଯ୍ୟନ୍ତ ଲଙ୍ଗଳ ଯାଇନାହିଁ । ବୁଣା ଯାଇଥିବା କେତେକ ଜମି ବେଉଷଣ ହୋଇପାରୁନି । ଜମିରେ ଘାସ ବୁଦା ମାଡ଼ି ବସିଲାଣି । ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଟିକେ ବର୍ଷା ହେବା ପରେ ଯେଉଁ ବୁଣା ଜମିରେ ବେଉଷଣ ହୋଇଛି ସେଥୁରେ ଘାସ ବାଛି ବାଛି ଚାଷୀ ନୟାନ୍ତ ହେଲେଣି । 

ଶ୍ରାବଣ ମାସରେ ଅନେକ ଚାଷ ଜମି ପଡ଼ିଆ ପଡ଼ିଛି । ଢିପ ଜମିଗୁଡିକ ପାଣି ଅଭାବରୁ ଧାନ ରୁଆ ହୋଇପାରୁନି । ଜିଲ୍ଲାରେ 17475 ହେକ୍ଟର ଢିପ ଜମି, 43338 ହେକ୍ଟର ମଧ୍ୟମ ଧରଣ ଜମି ଓ 48807 ହେକ୍ଟର ଖାଲୁଆ ଜମି ରହିଛି । ଚଳିତ ବର୍ଷ 109620 ହେକ୍ଟର ଜମିରେ ଧାନ ଚାଷ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ ଯୋଜନା ଥିଲା । ତେବେ ଏବେବି ହେକ୍ଟର ହେକ୍ଟର ଜମି ପଡ଼ିଆ ପଡିଛି । ଯାହାଫଳରେ ଚାଷୀ ବର୍ତ୍ତମାନ ଚିନ୍ତାରେ ପଡ଼ିଛି । ସାହୁକାରଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାଙ୍କରୁ ଋଣ କରି ଚଳିତ ବର୍ଷ ଭଲ ଫସଲ ଅମଳ କରିବା ପାଇଁ ଆଶା କରିଥିବା ଚାଷୀଟି, ଚଳିତ ବର୍ଷ କେମିତି ପରିବାର ପେଟ ପାଳିବ ତାହାକୁ ନେଇ ଚିନ୍ତାରେ ପଡ଼ିଛି ।

ଇଟିଭି ଭାରତ,ଖୋର୍ଦ୍ଧା 

ABOUT THE AUTHOR

...view details