ମାଉସୀ ମା' ମନ୍ଦିରକୁ ପ୍ରବେଶ କଲେ ଚତୁର୍ଦ୍ଧାମୂର୍ତ୍ତି
ରାଇରଙ୍ଗପୁର: ଆଜି ପବିତ୍ର ଘୋଷଯାତ୍ରାର ଦ୍ବିତୀୟ ଦିବସରେ ମାଉସୀ ମା' ମନ୍ଦିରକୁ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଭୁ ଜଗନ୍ନାଥ ରତ୍ନ ସିଂହାସନ ଛାଡି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଗତକାଲି ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ରାଇରଙ୍ଗପୁର ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଆଜି ଘୋଷ ଯାତ୍ରାର ଦ୍ବିତୀୟ ଦିନରେ ରଥାରୂଢ଼ ଦିଅଁଙ୍କ ପ୍ରାତଃ କାଳରେ ଅବକାଶ, ମଙ୍ଗଳ ଆଳତି, ମଇଲମ, ଦ୍ଵାରପାଳ ପୂଜା, ସୂର୍ଯ୍ୟ ପୂଜା ରୀତିନୀତିରେ ଅନୁଷ୍ଠିତ ହୋଇଥିଲା। ପରେ ଦିନ ଗୋଟାଏ ପର୍ଯ୍ୟନ୍ତ ରଥ ଉପରେ ଠାକୁରଙ୍କ ଦର୍ଶନ ଏବଂ ପୂଜା ପାଇଁ ଭକ୍ତଙ୍କ ଗହଳି ଲାଗି ରହିଥିଲା।
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇଥିଲା। ଗତକାଲି ପ୍ରଥମ ଦିନରେ ରଥଟଣା କାର୍ଯ୍ୟ ଅଧାରେ ରହିଥିବାବେଳେ ଆଜି ପୂର୍ବାହ୍ନ ୫ଟା ସମୟ ମଧ୍ୟରେ ମହିଳାମାନଙ୍କ ଦ୍ଵାରା ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ୧୫ମିନିଟ୍ ସମୟରେ ମାଉସୀ ମା' ମନ୍ଦିର ନିକଟକୁ ରଥ ପହଞ୍ଚିଥିଲା। ସେଠାରେ ଗୋଟି ପହଣ୍ଡିରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ମାଉସୀ ମା' ମନ୍ଦିରକୁ ପ୍ରବେଶ କରିଛନ୍ତି। ତେବେ ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ଶହ ଶହ ସଂଖ୍ୟାରେ ମହିଳା ଭକ୍ତଙ୍କ ଭିଡ଼ ଜମିଥିଲା। ଘଣ୍ଟ ଘଣ୍ଟା ଶଙ୍ଖ ହୁଳହୁଳି ନାଦରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ। ତେବେ ଶାନ୍ତି ଶୃଙ୍ଖଳା ସହିତ ରଥଟଣା କାର୍ଯ୍ୟ ସମାପନ ହୋଇଥିବାବେଳେ ରାଇରଙ୍ଗପୁର ବଡ଼ଦାଣ୍ଡ ବେଶ ଉତ୍ସବ ମୁଖର ଥିବା ଦେଖିବାକୁ ମିଳିଛି।
ଇଟିଭି ଭାରତ, ମୟୁରଭଞ୍ଜ